କଳାର ଗୁଣ
କଳାର ଗୁଣ
କାଉଟି କଳା କୋଇଲି କଳା
କଳା କଜଳପାତି
କଳା ରୂପଟି ବୋଲିରେ ଭାଇ
ମନେ କରନି ଭିତି।
କାଉଟା ସିନା ସକାଳୁ ଉଠି
ଚଞ୍ଚଳ କରୁଥାଇ
ଗାଁ ମୁଣ୍ଡର ସଢା,ମଇଳା
ନିତି ସେ ସଫାକରଇ।
କଳା କୋଇଲି କଣ୍ଠଟି ମିଠା
କରିଲେ କୁହୁତାନ
ସେ ତାନ ଶୁଣି ମନଉଚ୍ଛନ୍ନ
ଶୋଭଇ ଦୂରବନ।
କାଳିଗାଈର କ୍ଷୀରଟି ମିଠା
ଅମୃତ ଲାଗେ ପାଟି
ଭୋଳାଶଙ୍କର ଶୀଅଙ୍ଗେ ଦେଲେ
ବିଘ୍ନ ଯାଏଟି କଟି।
ମୁଣ୍ଡର ଚୁଟି କଳା ଦିଶିଲେ
ବୟସ ଦିଶେ ନାହିଁ
ଆଖି କଜ୍ଜଳ ସୁନ୍ଦର ଦିଶେ
ତରୁଣ ମନ ମୋହି।
କଜ୍ଜଳଗାର ମୁଖରେ ଥିଲେ
ନଜର ଲାଗେ ନାହିଁ
ଦେବୀମାଆଙ୍କୁ କଳାବସନ
ଚମକ ଲାଗୁଥାଇ।
ସାତରଙ୍ଗରେ କଳାରଙ୍ଗଟା
ଶୋଭା ବଢାଉ ଥାଇ
ଏତେ ସୁନ୍ଦର କଳାର ଗୁଣ
ଘୃଣା କରନ୍ତି କାହିଁ।
ଆମ ଠାକୁର ଜଗତନାଥ
ରୂପଟା ତାଙ୍କ କଳା
କଳା ଶ୍ରୀମୁଖ ଦେଖିଦେଲେରେ
ପବିତ୍ର ହୁଏ ଡୋଳା।
କଳା କହ୍ନେଇ ବଇଁଶୀ ସ୍ୱର
ଶୁଭଇ ମିଠାଭାରି
ବୃନ୍ଦାବନରେ ରାଇସାଥିରେ
କରନ୍ତି ରାସକେଳି।
ରୂପଟା ସିନା କଳାଟି ତା'ର
ଗୁଣଟା ଅସୁମାରୀ
ସେ କଳା ପ୍ରେମେ ମୋହିତ ହେଲେ
ଷୋଳ ସହସ୍ର ନାରୀ।
