ରାଈଙ୍କ ମାନଭଞ୍ଜନ
ରାଈଙ୍କ ମାନଭଞ୍ଜନ
ଆସଗୋ ମାନିନୀ ମୋପ୍ରେମ ତଟିନୀ
ଅଭିସାରିକା ରାଧିକା।
ରିମ୍ ଝିମ୍ ତାନେ ନିଶାର୍ଦ୍ଧ ଲଗନେ
ପ୍ରେମମୟୀ ତୁ,ନାୟିକା ।
ଝମ୍ ଝମ୍ ଶୁଭେ ପାଦର ନୂପୁର
ଛନ୍ଦାୟିତ ତରଙ୍ଗିଣୀ ।
ତୁମ ପ୍ରେମ ନୀରେ ଅବଗାହିବାକୁ
ଚାହେଁ ଦିବସ ରଜନୀ ।
ତୁମେ ମୋ,ମାନିନୀ ମୃଗାକ୍ଷୀ ନୟନୀ
ବୃଷଭାନୁ ରାଜଜେମା ।
ପ୍ରିତୀ ପ୍ରଦାୟିନୀ ଆଗୋ ଲାସ୍ଯମୟି
ତୋ,ପାଇଁ ପାଗଳ କାହ୍ନା ।
ଆସ ଆସ ରାଇ ଆସ ମାନମୟୀ
କୁଞ୍ଜବନେ ବିଜେ କାହ୍ନୁ।
ବଇଁଶୀ ରାଗିଣୀ ଡାକେ ରାଧାରାଣୀ
ମାନ ତେଜ ରାଧେ ମନୁ ।
ହେ ନଟନାଗର ରସିକ ଶେଖର
ଚିତ ଚୋର ବଂଶୀଧର ।
ତୋ,ଲାଗି ଯମୁନା ଯିବା ପାଇଁ ମନା
ଶାଶୁ ନଣନ୍ଦର ଘର ।
ତୋ,ପାଇଁ କଳଙ୍କ ହେଲା ମୋ,ତିଳକ
ସ୍ବାମୀ ମୋର ଚନ୍ଦ୍ରସେଣା ।
ଛାଡ ମୋର ହସ୍ତ ଲାଗେ ବଡ ଭିତ
ଆଉ ନଯିବି ଯମୁନା ।
ଯାଅ ନନ୍ଦ ବାଳ ନକର କଟାଳ
ମୁଇଁ ଅଟେ କୂଳବଧୂ ।
ଫଗୁଣେ ଅବିର ଖେଳ ସାଥି ମେଳ
ବାଟଛାଡ଼ ଦିନ ବନ୍ଧୁ ।
