ମହାନୁଭବ ମୋହନ
ମହାନୁଭବ ମୋହନ
ହେ, ମହାନ୍ ଆତ୍ମା ତୁମେ ଯୋଗଜନ୍ମା
ମହାନୁଭବ ମୋହନ।
ଅହିଂସା ବଳରେ ଜନ ମାନସରେ
ଢାଳିଲ ମୁକ୍ତିର ନିଶାନ ।
ତୁମେଥିଲ ବାପୁ ଆମପାଇଁ ସତେ
ପଥପ୍ରଦର୍ଶକ ମାନ୍ଯ ।
ତୁମଲାଗି ଆଜି ଭାରତ ସ୍ବାଧିନ
ପୂର୍ଣ୍ଣ ହେଲା ମନସ୍କାମ ।
କେତେ ଜେଲ୍ ଦଣ୍ଡ ଚାବୁକ୍ ରେ,ପିଣ୍ଡ
ହେଉଥିଲା ହରବର।
ତଥାପି ସେଥିକି ଖାତିର୍ ନକରି
ଲଢୁଥିଲ ବାରମ୍ବାର ।
କି ବର୍ଣ୍ଣବି ତୁମ ସୌର୍ଯ୍ଯ ପରାକ୍ରମ
ଅହିଂସା ବଳେ ସ୍ବାଧିନ ।
ତୁମ ସ୍ମିତହାସ୍ୟ ଚିର ଅମଳିନ
ତୁମେ ହିଁ ବୀର ସନ୍ତାନ ।
ତୁମ ନିତିଶିକ୍ଷା ଅହିଂସାର ଦୀକ୍ଷା
ମନେ ପ୍ରଜ୍ବଳିତ କଲ ।
ଅହିଂସା ମାର୍ଗରେ ସ୍ବାଧୀନତା ଆଣି
ଦେଶର ଟେକ ରଖିଲ ।
ଅହିଂସା ମନ୍ତ୍ରଟା ଶକ୍ତିଶାଳୀ ଏକା
ବିଦେଶୀ ତଡିବା ପାଇଁ ।
ଭାରତ ଜନତା ହେଲେ ଏକତ୍ରିତ
ଫିରିଙ୍ଗି ଗଲେ ପଳାଇ ।
ସେଦିନୁ ମହାତ୍ମା ବାପୁଜୀ ନାମରେ
ଜନମନ କିଣିନେଲ ।
କୁଟିଖାଅ କାଟିପିନ୍ଧ ସ୍ବଦେଶୀ ବାର୍ତ୍ତା
ମନରେ ଜଗାଇ ଦେଲ ।
ମୁଖରେ ସନ୍ତୁଷ୍ଟି ହାତେ ଥିଲା ଜଷ୍ଟି
ଆଣ୍ଠୁ ନଲୁଚା ଖଦଡ ।
ଦେଶପାଇଁ ଭକ୍ତି ମନେଥିଲା ଉକ୍ତି
ମନଟା ବହୁତ ଦୃଢ ।
ତୁମ ଆଦର୍ଶ ରେ ହୋଇ ଅନୁପ୍ରାଣିତ
ଉଡାଇ ଶାନ୍ତି କପୋତ ।
ଫିରିଙ୍ଗି କବଳୁ ଭାରତ ମାତାକୁ
କରିଥିଲ ତୁମେ ମୁକ୍ତ ।
ଗଢି ଯାଇଥିଲ ଯେଉଁ ରାମ ରାଜ୍ଯ
ତାର ଦୟନୀୟ ଦୁଖ ।
ସରଗ ରାଇଜୁ ଚାହିଁ ଦିଅ ଥରେ
ଭାରତ ମାତା ବିମୁଖ ।
ଅନ୍ୟାୟ ଅନିତି ବଢିଯାଏ ଗତି
ନାରୀ ନୁହେଁ ସୁରକ୍ଷିତା ।
ସ୍ବାଧୀନ ହୋଇବି ପରାଧୀନ ଭୋଗେ
ଆଜି ବି ଭାରତ ମାତା ।
ତୁମେ ଗଲା ପରେ ତୁମରି ଦେଶରେ
ଦେଖ କେଉଁ ଦୂରାବସ୍ଥା ।
ଗୋରା ଶାସନ ଠୁ ବଳି ପଡିଲାଣି
ସ୍ବାଧୀନତାର ବ୍ଯବସ୍ଥା ।
ଆଉଥରେ ଜନ୍ମ ନିଅହେ ମହାତ୍ମା
ଦୂର କର ଦେଶୁ ଦୁଃଖ ।
ଭାରତ ମାତାର ସୁଯୋଗ୍ଯ ସନ୍ତାନ
ରଖ ସେ, ମାତାର ଟେକ ।
