ପକ୍ଷୀର ବିଳାପ
ପକ୍ଷୀର ବିଳାପ
ଅନନ୍ତ ଗଗନେ ବାୟୁର ବାହାନେ
ପକ୍ଷ ଦ୍ବୟ ଝାଡି ଝାଡି ।
ଆହାର ମୁଁ ଖୋଜି ଯାଇଥିଲି ହଜି
ଅଠାଜାଲେ ଗଲି ପଡି ।
କାଠି, କୁଟା, ପର୍ଣ୍ଣ, ସାଉଁଟି ଆଣିଣ
ସଜାଇ ଅଛି ନିଳୟ ।
ନବ ଶାବକ ରେ ଭରା ମୋ ନିଳୟ
ପୁଣି ଜନ୍ତୁଙ୍କର ଭୟ ।
ଉଠିନାହିଁ ପକ୍ଷ ନୁହେଁ ସମକକ୍ଷ
ଫିଟି ନାହିଁ ପୁଣି ଚକ୍ଷୁ ।
କେମିତି ପାଶୋରି ପାରିବେ "ମା" କୁ
ବନ୍ଧନରେ ମତେ ରଖୁ ।
ଅତି ହୀନିମାନ ବିହଙ୍ଗ ଜୀବନ
କର୍ମେ ସଦା ଆଗଭର ।
ଖାଦ୍ଯ ଅନ୍ବେଷଣ ନିତ୍ଯ ଆଗମନ
ସାୟଂ କାଳେ ତରୁ ପର ।
ରାତ୍ରୀ ଆଗମନ ଘୋର ବର୍ଷାଦିନ
ପକ୍ଷତଳେ ରଖି ଶିଶୁ ।
ନିଶି ଉଜାଗର ମନେ ସଦା ଡର
ନୀଡେ ଜଗି ପୁଣି ବସୁ ।
ଦିବା କାଳେ ଡାଳେ ବସି ତରୁ ମୂଳେ
ଗାଉ ଥାଉ ନାନା ଗୀତି ।
ଝରଣାର ଜଳ ମିଠା ପକ୍ବଫଳ
ଆହାର କରଇ ନୀତି ।
ପାହାଡ ପର୍ବତ ଗଛ ଆମ ମିତ
ସଦା ଆମ ପାଶେ ଥାଏ ।
ସୁନୀଳ ଗଗନେ ଆନନ୍ଦିତ ମନେ
ଡେଣା ଝାଡି ଉଡି ଯାଏ ।
ମେଘ ପାଲିଙ୍କିରେ ଦେଖୁ ଜହ୍ନ ତାରା
ବଉଦ ଖେଳଇ ଖେଳ ।
ସାଥି ପକ୍ଷୀ ମେଳେ ଖେଳୁ ତରୁଡାଳେ
ଆନନ୍ଦେ କଟଇ ବେଳ ।
ଲୋଡା ନାହିଁ ମୋର ସୁବର୍ଣ୍ଣ ପଞ୍ଜୁରୀ
ସୁନା ତାଟିଆର ଅନ୍ନ ।
ପକ୍ଷୀ ପାଇଁ ଲୋଡା ସୁନୀଳ ଆକାଶ
ପୂର୍ଣ୍ଣମୀ ସୁନ୍ଦର ଜହ୍ନ ।
ହେ ଶିକାରୀ ଭାଇ ମନେ ଦୟା ବହି
ଦେ,ରେ ମତେ ତୁ ଛାଡି ।
ସୁଦୟା ତୁକର। ଡେରି ତୁ ନକର
ଆକାଶେ ଯିବି ମୁଁ ଉଡି ।
