ଶବରୀର ପ୍ରତିକ୍ଷା
ଶବରୀର ପ୍ରତିକ୍ଷା
ଆସ ପ୍ରଭୁ ରାମ ବାରେ ମନସ୍କାମ
ପୂରଣ କର ମୋହର।
ଅପେକ୍ଷାର ଅନ୍ତ କର ସୀତାକାନ୍ତ
ମୁଁ,ଅଟେ ଶବରୀ ଛାର ।
ତୁମ ଚଲାପଥେ ବିଛାଇଛି ଫୁଲ
କଅଁଳ ସୁବାସ ଅତି।
ରାତ୍ରି କଟିଗଲେ ସଜଫୁଲ ଆଣି
ସଜାଏ ମୁଁ ନିତି ନିତି।
ହେ ପଙ୍କଜ ନେତ୍ର ମନ ମୋ ଆହତ
ସଜ୍ଜଳନେତ୍ରେ ଚାହିଁଛି।
ସୁମଧୁର କୋଳି ବନସ୍ତ ରୁ ତୋଳି
ଚାଖି ଚାଖି ରଖିଅଛି।
ମୁଁ ନୁହେଁ ଦେବକି ମୁଁ ନୁହେଁ ଯଶୋଦା
ସ୍ନେହେ କି ପାରିବି ବାନ୍ଧି।
ମୁଁ ଛାର ଶବରୀ ମନେ ଭକ୍ତି ଭରି
ଚାହିଁଛି ହେ ଦୟାନିଧି।
ଆସ ଆସ ଥରେ ମୋର ଏ କୁଟୀରେ
ପକାଅ ପଙ୍କଜ ପାଦ।
ଜନ୍ମ ଜନ୍ମାନ୍ତର ପାପକ୍ଷୟ ଯାଉ
କ୍ଷମିବ ରାଧା ଗୋବିନ୍ଦ।
