କଳାକାର
କଳାକାର
କିଏ ବା ଜାଣିଛି,
କିଏ କହି ଦେବ,
କୋଣାର୍କର ସେଇ ଶିଲ୍ପି
କେଉଁ ବୟସର ଥିଲା ?
ଯୁବା, ପ୍ରୌଢ ଅବା ବୃଦ୍ଧ ?
ଯିଏ ଗଢି ଗଲା ପଥର ବୁକୁରେ
ନିହଣ ଓ ହାତୁଡିକୁ ପିଟି ପିଟି,
ନିଜର କ୍ଷତାକ୍ତ ହାତରେ,
ଲହୁ ଲୁହାଣ ହୃଦୟରୁ
ନିଚୋଡି ଦେଇ ଥିଲା,
ପଥରରେ ତାର କଳ୍ପନାର
ଲାସ୍ୟମୟୀ ପ୍ରେମିକାର
ରୂପ ଲାବଣ୍ୟରେ ।
କିଏ ବା ପାରିବ କହି,
କାହା ରୂପ ନାଚୁ ଥିଲା
ତା ଆଖିରେ, ତାର କଳ୍ପନାରେ,
ତାର ବିରହ ବିଧୁର ମାନସ ପଟରେ ?
କାହା କଥା ଭାବୁ ଥିଲା ସିଏ,
ତାର ପତ୍ନୀ ନା ପ୍ରେମିକାର କଥା?
କଣ ଚାଲି ଥିଲା,
ତାର ମନ, କଳ୍ପନାରେ ?
କିଏ ସିଏ, ନିଜେ ତ ମରି ଗଲା
ବିରହରେ, କାମନାର ଅଗ୍ନିରେ
ତିଳ ତିଳ ଜଳି ଜଳି,
ବୈଶାଖର ନିଦାଘ ଦିପହରରେ
ଅବା ଶ୍ରାବଣର ବର୍ଷିଳ
ନିଃସଙ୍ଗ ରଜନୀରେ, !
କନ୍ତୁ ଅମର କରି ଗଲା,
ତାର ପ୍ରେୟସୀକୁ
ପାଷାଣ ପ୍ରତିମାରେ ।
*** × ***