କିପରି କହୁଛ ତୁମେ
କିପରି କହୁଛ ତୁମେ
କିପରି କହୁଛ ମୋ ପରାଣ ଧନ
କିପରି କହୁଛ ତୁମେ
ତୁମେ ମୋତେ ପ୍ରେମ କରନାହିଁ ବୋଲି
କିପରି କହୁଛ ତୁମେ?
ତୁମରି କଅଁଳ ହାତରେ ଦେଇଛ
ସଜ ଗୋଲାପ ଯେ କେତେ!
ମୋର ବାଟ ଚାହିଁ ନିତି ବସି ଥାଅ
କି ଆତୁରେ ତୁମେ ସତେ !!
ତୁମ ସରୁ ଓଠ ମଝିରେ ମୋ ଓଠ
ରଖି ଚୁମିଅଛ କେତେ!
ତୁମ ଓଠ ଗାଲ ଦେଖାଇ ଦେଇଛ
ଚୁମା ଦେବାପାଇଁ ମୋତେ ।
ପ୍ରତି ଫଗୁଣରେ ଫଗୁ ପରବରେ
ଫଗୁ ନେଇ ଆସ କେତେ
ତୁମ ଗଣ୍ଡ ଦେଶ ଦେଖାଇ ଦେଇଛ
ରଙ୍ଗ ବୋଳିବାକୁ ମୋତେ ।
ଏକାନ୍ତରେ ବସି ମୋ କଥାକୁ ଭାବି
ଝୁରି ହେଉଥାଅ ମୋତେ
ତା ପରେ ବି ତୁମେ କିପରି କହୁଛ
ପ୍ରେମ କର ନାହିଁ ମୋତେ?
ସାଗର ବେଳାରେ ହାତ ଧରି ମୋର
ବୁଲାଇଛ ତୁମ ସାଥେ
ସାଗର ଢେଉରେ ଆନନ୍ଦ ବିଭୋରେ
ସ୍ନାନ କରାଇଛ ମୋତେ ।
ଆମ ଭିଜା ଦେହେ ପଡି ଅରୁଣିମା
ଝଲସାଇ ଅଛି କେତେ
ବେଳା ଭୂମି ପରେ ଘୋଡାର ପିଠିରେ
ବସି ବୁଲାଇଛ ମୋତେ ।
ଆମେ ଦୁହେଁ ମିଶି ବେଳାଭୂମିପରେ
ଗଢି ବାଲିଘର କେତେ
ଦେଖିଛନ୍ତି କେତେ ସୁଖର ସପନ
ଜୁଆର ଭଟ୍ଟାର ସାଥେ ।
କେତେ ଜହ୍ନରାତି ସୁମଧୁର ସ୍ମୃତି
ପଚାରୁଛି ଆସି ମୋତେ
ମୁଁ ତୁମକୁ ଭଲ ପାଏ କି ନ ପାଏ
ପଚାରୁଛି ଆସି ମୋତେ ।
ପୂର୍ଣ୍ଣିମାର ଜହ୍ନ ତାରା ମେଳେ ଆସି
ଜୁଆର ରଚଇ କେତେ
ମୋ ମନ ସାଗରେ ତୁମ ସ୍ମୃତି ରାଜି
ପଚାରୁଛି ମୋତେ କେତେ
ତୁମେ ମୋତେ କେତେ ହସି ହସାଇଛ
ମନେ ଅଛି କି ନା ସତେ ।
ଜଳ ସ୍ଥଳାକାଶ ସର୍ବେ ଦେଖିଛନ୍ତି
ତୁମରି ହୃଦରେ ମୋତେ
ତା ପରେ ବି ତୁମେ କିପରି କହୁଛ
ପ୍ରେମ କର ନାହିଁ ମୋତେ ?
ତୁମରି ଆଖିରେ ମୋର ପ୍ରତିଛବି
କହି ଦେଉଅଛି ମୋତେ
ମୋ ଆଖି ଭିତରେ ବସା ବାନ୍ଧି ତୁମେ
ହସି ଦେଉଅଛ ମୋତେ ।
ଭଲପାଇବାର ଗଭୀରତା କେତେ
ସେ ହସ ସୂଚାଏ ମୋତେ
କିଛି ନ କହି ବି ଆଖିର ଇସାରା
ବୁଝାଇ ଦେଉଛି ମୋତେ ।
ତୁମରି ଚାହାଣୀ ହୃଦେ ଦିଏ ହାଣି
ମନକୁ ଚୋରାଏ ସତେ
ହୃଦୟ ସିନ୍ଦୁକ ତାଲା ଖୋଲି ଦେଇ
ହୃଦକୁ ଚୋରାଏ ସତେ!!
ତୁମ ମୁଖ ଚିହ୍ନ ଶରୀରର ଭାଷା
ସୂଚାଇ ଦେଉଛି ମୋତେ
ନ କହିଲେ ବି ତା' ସୂଚାଇ ଦେଉଛି
ତୁମ ମନ କଥା ମୋତେ ।
ତା' ପରେ ବି ତୁମେ କିପରି କହୁଛ
ପ୍ରେମ କରନାହିଁ ମୋତେ!
ମୁହଁ ଖୋଲି ବାରେ କହିଦିଅ ତୁମେ
ଭଲପାଅ ବୋଲି ମୋତେ ।

