କିଛି ଶେଷ କଥା
କିଛି ଶେଷ କଥା
କିଛି ଶେଷ କଥା ଅନ୍ତିମ ପୃଷ୍ଠାରେ
ଲେଖନୀରେ ଦେଲି ଲେଖି
ଜାଣିନା ହେ ବନ୍ଧୁ ବୁଝି କି ପାରିବ
ଆସିବ ମୋ କଥା ରଖି ।
ତୁମେ ତ ସାଜିଛ ସୁଖ ଦୁଃଖ ମିତ
ଦାରୁବ୍ରହ୍ମ ଜଗନ୍ନାଥ
ସେ ମିତ ଭିତରେ ମୋ ନାଁ ନାହିଁ ତ
ଏବେ ରଖ ତୁମ ମତ ।
ମୋର ଭକ୍ତି ବଳ ଯେତିକି ରହିଛି
ସେଥିରେ ତୁମେ ତ ଶ୍ରେଷ୍ଠ
ବିତ୍ତ ହେଉ କିବା ଐଶ୍ଵର୍ଯ୍ୟ ସଂପତ୍ତି
କରି ନାହିଁ ମନ ଭ୍ରଷ୍ଟ ।
ମୋ ବେନି ନୟନେ ତୁମ ଚାନ୍ଦ ମୁହଁ
ନୃତ୍ୟ କରେ ଅହର୍ନିଶ
ତୁମେ ମୋ ଜୀବନ ଦେବକୀ ନନ୍ଦନ
ତୁମେ ମୋ ପୁନେଇଁ ଶଶି ।
ହେ ନନ୍ଦ ଦୁଲାଳ ମୋ ମନ ଆକୁଳ
କାହିଁ ପାଇଁ ନିରିଦୟ
ବ୍ରଜ ପୁରେ ମୋତେ ଏକା ଛାଡ଼ି ଗଲ
ଛଳନାକୁ କରି ଜୟ ।
ରାଈ ବିନୋଦିନୀ ଅତି ଅଭାଗିନୀ
ବସିଛି ଯମୁନା କୂଳେ
ଘଡି ଘଡ଼ି ମୋର ମନେ ପଡି ଯାଏ
ତୁମ କଥା ଅଶ୍ରୁଜଳେ ।
ଉଛୁଳେ ଯମୁନା ମନ କରେ ଚୁନା
ଦଧି ହୁଏ ମୋର ଖଟା
ମୋ ଲକ୍ଷଣ ଦେଖି ଶାଶୁ ନଣନ୍ଦ ମୋ
ନିନ୍ଦାରେ କରନ୍ତି ଥଟ୍ଟା ।
ସହ୍ୟ ହେଉ ନାହିଁ କଟୁ ବଚନ ଗୋ
କହିବି କାହାକୁ କୁହ
ପ୍ରୀତି ଶ୍ରାବଣ ମୋ ଦୁଃଖ ବରଷାଇ
ଭରିଛି ଆଖିରେ ଲୁହ ।
ଜନ୍ମ ପରେ ଜନ୍ମ ବିତି ଗଲା ସିନା
ପାଇନି ପତ୍ନୀର ସୁଖ
କିଛି ଶେଷ କଥା ରହି ଯାଏ ବନ୍ଧୁ
ଦେବା ପାଇଁ ମୋତେ ଦୁଃଖ ।
ହେ ଦ୍ବାରିକାଧିଶ ନ ବହିବ ରୋଷ
ଥରେ ପଢିବ ମୋ ଲେଖା
ତୁମ ପାଇଁ ପୁଣି ଜନମ ଲଭିବି
କହୁଛି ମୋ ହସ୍ତ ରେଖା ।
ସହସ୍ର ଜନମ ହେଉ ଥିବ ମୋର
ତୁମରି ସିନ୍ଦୂର ନାଇ
ତୁମେ ମୋ କହ୍ନେଇ ମୋ ପ୍ରୀତି ମାଣିକ
ମୁହିଁ ତୁମ ପ୍ରିୟା ରାଈ ।