କିଆଁ ଖୋଲୁଛ ନର୍କର ଦ୍ବାର
କିଆଁ ଖୋଲୁଛ ନର୍କର ଦ୍ବାର
ନାରୀ ଶକତି ଭିତରେ ଲୁଚିଥାଏ ଅନେକ କଳା
କହିପାର ତାକୁ ଗୋଟିଏ ଆତ୍ମାର ସଂଗିନୀ
ଝିଅଟିଏ ହୁଏ ମାଆ କେବେ ଜାୟା କେବେ ପୁଣି
ଝିଅ କେବେ ତ ହୁଏ କାହାର ଭଗିନୀ ।
ଏ ସବୁ ଚରିତ୍ରକୁ ଜୀବନ୍ତ କରିବାର ଅଛି ତା'ର ଗୁଣ,
କର୍ତ୍ତବ୍ୟର ପଥେ ସେ ହୁଏ ଆଗଭର
ଅଙ୍କାବଙ୍କା ରାସ୍ତା ପରି କେବେ ପାଇଥାଏ ଗୋଲାପର
ଫୁଲ କେବେ ତୁଠ ପଥର ।
ନାରୀର ଗର୍ଭ ବିନା ସୃଷ୍ଟି ହୋଇପାରେନା ମଣିଷ
ଯେବେ କୁହ ଏଇ ସଂସାରରେ
କିପରି ଚିତ୍ର ଆଙ୍କିଛ ହେ ସମାଜର ବଡପଣ୍ଡା,
ସେ ନିଃସହାୟ ବଞ୍ଚନ୍ତିନି ବିନା ଆଶ୍ରାରେ ।
ସହିଷ୍ଣୁତା ଗୁଣେ ସେ କ୍ଷମାର ସେ ମୂରତି ନିଜ
ଲୋକ ପାଇଁ ସବୁ କିଛି ଦେଇପାରେ
ଦେବାପାଇଁ ସତ ପାଦେ ସମ୍ମାନ ସମୟ ଲାଗେନି
ତାକୁ ବିରୋଧତାକୁ ବରଜିବାରେ ।
ସେ ଯେତେ ଶାନ୍ତ ଓ ସରଳ, କିନ୍ତୁ ଅନ୍ୟାୟ ଆସିଲେ
ନେଇପାରେ ସେ ସଂହାରିକାର ଚରିତ୍ର
ଯେବେ ଆସେ ପ୍ରଶ୍ନ ତା'ର ଆତ୍ମ ସମ୍ମାନର ସେ ପଛାଏ
ନା ଦେଖେଇବାକୁ ତା' ଶକ୍ତି ସ୍ୱରୂପିଣୀ ଚିତ୍ର ।
ଝିଅରୁ ବୋହୁ ହେଇଗଲେ କେତେ କ'ଣ ବଦଳିଯାଏ
ଗୋଟିଏ ଝିଅର ଜୀବନରେ
ସମସ୍ତଙ୍କ ସହ ଆଡଜଷ୍ଟ ହେବାକୁ ନୂଆ ନୂଆ ବୋହୁ
ସାଜିଥିବା ଝିଅଟିକୁ ଶାଶୁ ଘରେ ।
ସ୍ନେହ, ମମତାବୋଳା କଥା ପରଶରେ ନୀରବତା ସହ
ମୁକ୍ତ ହୋଇଯାଏ ମଥାର ଭାର
ଟଳୁ ମେରୁ ଅବା ଓଲଟୁ ମେଦିନୀ, ସେବେ ବୋହୁର
ମନେ ଖେଳେ ଅତି ଆନନ୍ଦର ଜୀବନ ଝର।
ଏ ସରଳ କଥାକୁ ନବୁଝି ବୋହୁଟିଏ ଆସିଲେ ତାକୁ
ସ୍ନେହ ନଦେଇ କାହିଁକି ଗଞ୍ଜଣା ଦିଏ ଶାଶୁଟିଏ
କୋଉ ଦୂର ସମୁଦ୍ରରେ ଘନୀଭୂତ ହେଉଥିବା ଲଘୁ
ଚାପ ଭଳି ତା'ର ସମସ୍ତ ରାଗ ଠୁଳ ହୁଏ ।
ନାରୀର ବେଦନା ନବୁଝି ଅଯଥା ତର୍କ କରିବାରେ
ସମର ଦେଖୁଛି ସାରା ଦୁନିଆ
ନଥାଇ ସ୍ନେହ ଓ ଶୁଷ୍କ ତର୍କ ସ୍ବର ଖୋଲିଲେ ନର୍କଦ୍ବାର
ଆମନ୍ତ୍ରଣ କରେ କଳହ ନିଆଁ ।