ଖୁସିଟେ ହେବାକୁ
ଖୁସିଟେ ହେବାକୁ
ବଗିଚାରେ ଫୁଲ ଫୁଟିଥିବ ଜାତି ଜାତି
ହୋଇଥିବ ଯେବେ କଇଁଫୁଲ ଜହ୍ନରାତି
ଫୁଲ ଖେଳୁଥିବେ ଦୋଳି
ମନ କି ନ ହେବ ହଜିଯିବା ପାଇଁ
ଫୁଲ ରଙ୍ଗ ଦେହେ ବୋଳି ।।
ଦକ୍ଷିଣା ପବନ ବହୁଥିବ ଧୀରେ ଧୀରେ
ବସିଥିବା ଯଦି ନିଜ ଗାଆଁ ନଦୀ ତୀରେ
କାମ ପଛେ ଯେତେ ଥାଉ
ମନ କି ନ ହେବ ବସିଯିବା ପାଇଁ
ଘଡିଏ ଅଧିକ ଆଉ ।।
ଚ୍ୟୂତ ଡାଳେ ପିକ ବସି ଗାଉଥିବ ଗୀତ
ସାଥେ ଯେବେ ଥିବ ପିଲାଦିନ ମନ ମିତ
ଝୁଲୁଥିବ ଆମ୍ବ କଷି
ମନ କି ନ ହେବ ଗପସପ ପାଇଁ
ସେଇଠି ଟିକିଏ ବସି ।।
ପାଶେ ଥିବେ ଆଈ ପଡିଥିବ ଗୋଟେ ସପ
କହୁଥିବେ ସିଏ ଯଦି ରାଜାରାଣୀ ଗପ
ଗପ ଯାଉଥିବ ବହି
ମନ କି ନ ହେବ ହୁଉଁ ମାରିବାକୁ
ମଝିରେ ଅଟକି ରହି ।।
ଶୀତୁଆ ରାତିରେ ମାଆର କୋଳରେ କେବେ
ଗହଳ ନିଦରେ ଶୋଇ ପଡିଥିବା ଯେବେ
ପାଇ ସେ କୋଳର ତାତି
ମନ କି ନ ହେବ ଦେଖିବାକୁ ମିଠା
ସପନଟି ସାରାରାତି ।।
ସ୍କୁଲ ଘରେ ଆମେ ଥିବା ସାଙ୍ଗସାଥୀ ମେଳେ
ମନ ଦେଇ ପାଠ ପଢୁଥିବା ପଢା ବେଳେ
ହେଲେ ଖେଳଛୁଟି ବେଳ
ମନ କି ନ ହେବ ଖେଳିବା ପାଇଁକି
ଡୁଡୁ ଲୁଚକାଳି ଖେଳ ।।
ମେଘ ବରଷିବ ସ୍କୁଲ ଛୁଟି ପରେ ପରେ
କାନ୍ଧରେ ବସ୍ତାନି ଫେରୁଥିବା ଆମେ ଘରେ
ଭିଜି ଗଲେ ସବୁ ଯାଉ
ମନ କି ନ ହେବ ଭିଜିଯିବା ପାଇଁ
ବରଷାରେ ଟିକେ ଆଉ ।।
କାହିଁକି ଏମିତି ହୁଏ ସତେ କିଏ ଜାଣେ
ଏତେ କଥା କିବା ପିଲା ବୟସଟା ଆଣେ
ବୟସର ଦାବି ଯାହା
ଖୁସିଟେ ହେବାକୁ ମନ କି ନ ହେବ
କରିଯିବା ପାଇଁ ତାହା ।।