ଖଣ୍ଡିଆ ଭୂତ
ଖଣ୍ଡିଆ ଭୂତ
ଖଣ୍ଡିଆ ଭୂତ ସେ ଖଣ୍ଡିଆ ଭୂତ
ଖେଳୁଥାଏ ଖେଳ ଭାରି ଅଦ୍ଭୁତ।
ବୁଲୁଥାଏ ସଦା ଚକା ଭଉଁରୀ
ଧୂଳି କୁଟା କାଠି ପେଟରେ ଭରି ।
କେବେ ରୂପ କ୍ଷୁଦ୍ର କେବେ ବୃହତ
ଦେଖିବାକୁ ମିଳେ ହଜାର ଭୂତ ।
ପବନ ହୋଇଲେ ଭାରି ଉତ୍ତପ୍ତ
ଉଠିଥାଏ ସେଠୁ ଖଣ୍ଡିଆ ଭୂତ ।
ବୈଶାଖ ଜ୍ୟେଷ୍ଠରେ କରଇ ଘର
ଲାଗିଥାଏ କେବେ ସେ ଭୟଙ୍କର।
ଜଳରେ ଖେଳେ ସେ ସ୍ଥଳରେ ଖେଳେ
ଖେଳୁଥାଏ ଖେଳ ତା' ବାହୁ ବଳେ ।
ସମୟ ଢ଼େଉରେ ଆସଇ ମାଡି
ପାଣି ଧୂଳି ଢ଼େଉ ନିଜେ ସେ ଗଢି।
ଦୃଶ୍ୟ ହୁଏ ନାହିଁ ଶରୀର ତାର
ସେଥିପାଇଁ ଭୂତ ନାମ ତାହାର ।
ପ୍ରକୃତି ହୋଇଲେ ଆମ ଅଥୟ
ଖଣ୍ଡିଆ ଭୂତର ଥାଏ ତ ଭୟ ।
ହୁଏ ଭୟଙ୍କର କ୍ଷଣକ ପାଇଁ
ଧନ ଓ ଜୀବନ ଦିଏ ସେ ଖାଇ।
ଅଦୃଶ୍ୟ ହୁଅଇ ଦେଇ ପ୍ରହାର
ଦେଇଥାଏ ଶିକ୍ଷା ତା' ବ୍ୟବହାର ।
ଆସ ଆସ ଆଜି ହେବା ସଜାଗ
ବାଛିବା ସୁରକ୍ଷା ପ୍ରକୃତି ଦିଗ ।
ହଜି ଚାଲିଯିବ ଖଣ୍ଡିଆ ଭୂତ
ନ ଥିବ ସଂସାରେ ତା' ପାଇଁ ଭୀତ।
