କାହାକୁ କରିବି ସାଙ୍ଗ
କାହାକୁ କରିବି ସାଙ୍ଗ
କାହାକୁ କରିବି ସାଙ୍ଗଲୋ ସଜନୀ
ଏ ଦୁନିଆଁ ଅଟେ ଅଜବ
ଯେତେ ଯାହା କଲେ ବଦଳିଲା ନାହିଁ
କାହାର ଆଜି ସ୍ଵଭାଵ।
ପକ୍ଷୀଟିଏ ଆଣି ସାଙ୍ଗ କରିଥିଲି
ସେ ତ ଛାଡି ଉଡ଼ିଗଲା
ଫୁଲଟାକୁ ଯେବେ ସାଙ୍ଗ ମୁଁ କରିଲି
ସମୟରେ ଝଡିଗଲା ।
ଜହ୍ନଟିର ସଙ୍ଗେ ହସୁଥିଲି ମୁହିଁ
ଦେଖ ସିଏ ବୁଡିଗଲା
ତାରା ସବୁ ଯେବେ ଗଣୁଥିଲି ମୁହିଁ
ବାଦଲ ଲୁଚେଇ ଦେଲା ।
ମଣିଷକୁ ଯେବେ ସାଙ୍ଗ ମୁଁ କରିଲି
ସମୟେ ବଦଳି ଗଲା
ଆତ୍ମୀୟଙ୍କ ସଙ୍ଗେ ଘର କରିଥିଲି
ଦଇବ ଛଡେଇ ନେଲା ।
ସମୟ ସ୍ରୋତରେ ଜୀବନ ସରିଲା
ନିଜକୁ ଧିକାର କଲି
କାଳିଆ ଚରଣେ ଶରଣ ମାଗୁଛି
ଆଶ୍ରୟ ପାଇବି ବୋଲି ।
ଧନ୍ୟ ହୋଇଯିବ ଜୀବନ ମୋହର
ଧୋକା ଦେବନି କାଳିଆ
ଆଶ୍ରୟ ମିଳିଲେ ତାଙ୍କ ଶ୍ରୀଚରଣେ
ହେବିନି ଭୟେ ଛାନିଆଁ ।
