କହି ହୁଏନା
କହି ହୁଏନା
ବନ ପୋଡ଼ିଗଲେ ଜାଣନ୍ତି ସଭିଏଁ
ବନ ଜଳି ଜଳି ଯାଏ,
ମନ ପୋଡିଗଲେ ମନ ଏକା ଜାଣେ
ଭିତରେ କୁହୁଳୁ ଥାଏ |
ଜୀବନେ ଏମିତି କେବେ ଖୁସି ଆସେ
କେବେ ଭରି ଯାଏ ଲୁହ,
ଏମିତି ବି କିଛି ଅକୁହା ବେଦନା
ରହିଯାଏ ହୋଇ କୋହ |
କହି ହୁଏ ନାହିଁ ସହି ହୁଏ ନାହିଁ
ଗୋପନେ ହୃଦୟେ ଘାରେ,
ସ୍ମୃତିଟିଏ ହୋଇ ମାନସ ପଟରେ
ଅସହ୍ୟ ଯନ୍ତ୍ରଣା ଭରେ |
ଏବେବି ଝୁରୁଛି ନୂତନ ଯୌବନେ
ଝରା ପୀରତିର କଥା,
ଭାଙ୍ଗି ଦେଇଥିଲା ନୀରବତା ମୋର
ସମ୍ପର୍କ ହୋଇଲା ଅଧା |
ଅଜାଣତେ ମୋର ଗଢି ଦେଇଥିଲା
ମନେ ତାର କେତେ ପ୍ରୀତି,
ଜାଣିଲି ଯେବେ ମୁଁ ବୁଝାଇଲି କେତେ
ବୁଝିଲାନି ସିଏ କିଛି |
ସିଏ ଥିଲା ଚାନ୍ଦ ନୀଳ ଗଗନର
ମୁଁ ଯେ ଥିଲି ଛୋଟ କଇଁ,
ଥିଲା ବହୁଦୂର ଆକାଶରୁ ଧରା
ପାରିଲିନି କଥା ଦେଇ |
ମନେ ଜଳୁଥିଲି ନୀରବେ ନୀରବେ
ସମାଜର ଭୟ ଥିଲା,
ସିଏ ଝୁରୁଥିଲା ହୃଦୟର କୋହେ
ଗୋପନେ ବିଳାପୁ ଥିଲା |
ଚାହିଁ ମୁଁ ନଥିଲି ଭାଙ୍ଗିଦେବା ପାଇଁ
ଗଢ଼ା ତା ପ୍ରୀତିର ଘର,
ନିସ୍ବ ଜୀବନ ମୋ ତା ଜୀବନେ କେବେ
ଭରିବନି ସାତସୁର |
ମୋର ନୀରବତା ବୁଝିଥିଲା ସିଏ
କେବେ କିଛି କହିନାହିଁ,
ଅନିଚ୍ଛା ସତ୍ୱେ ସେ ସମୟ ସ୍ରୋତରେ
ଗଲା ପରଘରୀ ହୋଇ |
ଜୀବନେ ଭରିଛି ଏଇ ଅବଶୋଷ
ବଞ୍ଚିଛି ଏବେ ସେ ସ୍ମୃତି,
କହିପାରିନି ମୁଁ କାହା ଆଗେ ଖୋଲି
ମନେ ଝୁରି ବଞ୍ଚିଅଛି |