କହି ହୁଏନା ଆତ୍ମବେଦନା
କହି ହୁଏନା ଆତ୍ମବେଦନା
ବିଶ୍ଵନାଥଙ୍କର ଦୁଇ ଗୋଟି ପୁଅ ଅମନ ଆଉ ସୁମନ
ମହାନଦୀ କୂଳେ ଘରଟି ତାଙ୍କର ସର୍ବ ଶୋଭାର ଭଵନ |
ଅମନକୁ ବାର ସୁମନକୁ ଦଶ ମାଆ ଗଲା ପରପାରେ
ବିଶ୍ଵନାଥ ତାଙ୍କୁ ମଣିଷ କରିଲେ ମା ବାପା ଭୂମିକାରେ |
ଦିନସାରା ସିଏ ବିଲରେ ଖଟନ୍ତି, ରାତିରେ ପଢ଼ାନ୍ତି ପାଠ
ପୁରୁଣାକାଳିଆ ମାଟ୍ରିକ ପାଆସ ଥିଲେ ଜଣେ ଭଲ ଚାଟ |
ଅମନ ବଇଷୟିକ ପାଠ ପଢ଼ି ହୋଇଲା ଇଞ୍ଜିନିୟର
ଦୁବାଇରେ ତାକୁ ଚାକିରୀ ମିଳିଲା ଘରୁ ହୋଇଲା ଅନ୍ତର |
ବାପା କଥା ଆଉ କିଏସେ ପଚାରେ ବିଭାହୋଇ ସେହିଠାରେ
ଭୁଲି ଭିଟାମାଟି ଜନସ୍ନେହ ପ୍ରୀତି ରହିଲା ଲୁପ୍ତ ପ୍ରକାରେ |
ସୁମନଟି ସିଟି ତାଲିମ ପ୍ରାପତି କରେ ଶିକ୍ଷକ ଚାକିରୀ
ଗେହ୍ଲା ପୁଅ ସିଏ ସବୁ ସୁଖ ପାଏ ବାପା ଖଟେ ଗଧ ପରି |
ହାତକୁ ଦି ହାତ କରିଦେଲେ ତାକୁ ବିଶୁଙ୍କ ଦାୟିତ୍ୱ ଗଲା
ତଥାପି ଘରର ସକଳ ଜଞ୍ଜାଳ ମୁଣ୍ଡାଇ ଚାଲନ୍ତି ଭଲା |
ସତୁରି ବରଷେ କଲେ ପଦାର୍ପଣ ଦୁର୍ବଳୁ ଦୁର୍ବଳତର
ନାନା ରୋଗ ଆସି ଗ୍ରାସିଲା ଶରୀର ହେଲେ ବଡ଼ ହରବର |
କ୍ଷେତ ବାଡ଼ି ଯତ୍ନ ନେଇ ପାରିଲେନି ବସି ରହିଗଲେ ଘରେ
ଧିରେ ଧିରେ ପୁତ୍ର ପୁତ୍ରବଧୂ ବାକ୍ୟ ଅଶାଳୀନତାକୁ ଧରେ |
ଖାଇବା ପିଇବା ସେବା ଆଦରରେ ଅଣହେଳା ହେଲା ଧିରେ
ଅନୁଭବ କଲେ ବିଶ୍ୱନାଥ ବାବୁ ଅଲୋଡ଼ା ମୁଁ ହେଲି କିରେ! |
ସକାଳୁ ଦାଣ୍ଡରେ ଚଉକି ଉପରେ ବସି ଭାଳୁ ପୂର୍ବ କଥା
ସୁମନ ଗରଜି କହେ ଖାଲି ବସ ନକରି କିଛି ବ୍ୟବସ୍ଥା |
ଏକା ମୁଁ କାହିଁକି ପୋଷିବି ତୁମକୁ ନେଇଛି କି ଠିକାଦାରୀ
ବଡ଼ପୁଅ ପାଶେ ରହୁନ ଯାଇକି ମୋ ଗଳେ ହେଉଛ ଭାରି |
ଉଡ଼ିଗଲା ହୋସ ଚଉକିରୁ ଖସି ବିଶୁ ପଡିଗଲେ ତଳେ
ପୁଅ ବୋହୁ କେହି ନଚାହିଁଲେ ତହିଁ ଉଠିଲେ ବଡ଼ କଷ୍ଟରେ |
ଅବ୍ୟକ୍ତ ଏ କୋହ ଚାପିଲେ ହୃଦୟ କାହାକୁ କିଛି ନକହି
ଅସରା ବେଦନା ବହି ଦୃଢ଼ମନା ଗୃହରୁ ଗଲେ ପଳାଇ |
ବାଃ କାଳିକାଳ ଶିକ୍ଷିତ ବେଭାର ମଣିଷପଣିଆ ହତ
ଜଡ଼ ବିଜ୍ଞାନର ଲାଞ୍ଜ ଧରି ସର୍ବେ ଆଚରନ୍ତି ପଶୁବତ |
