କେତେ ଛନ୍ଦ ଜାଣେ ସେ ନନ୍ଦପୁଅ
କେତେ ଛନ୍ଦ ଜାଣେ ସେ ନନ୍ଦପୁଅ
କେତେ ଛନ୍ଦ ଜାଣେ ସେ ନନ୍ଦପୁଅଟି
କହି ପାରିବ ବା କିଏ
ଟେକା ମାରି ସିଏ ଗୋପୀ ମାନଙ୍କର
ମାଠିଆକୁ ଭାଙ୍ଗିଦିଏ ।
ଚୋରାଇ ଖାଏ ସେ ସର ଓ ଲବଣୀ
କେବେ ଧରାପଡେ ନାହିଁ
ଯଶୋଦା ଆଗରେ ଗୁହାରୀ କରିଲେ
ସତ ଯାଏ ମିଛ ହୋଇ ।
କି କୁହୁକ ଜାଣେ ସେ କଳା କହ୍ନେଇ
ଲଗାଏ ନାନା ହୁନ୍ଦର
ରାଧାର ଦେହରୁ ଭୂତ ଛଡ଼ାଏ ସେ
ପଢି ଗାରେଡ଼ି ମନ୍ତର ।
କେବେ ଚୁଡ଼ିବାଲା ହୋଇ ରାଧାପାଶେ
ଯାଏ ପଡେନାହିଁ ଧରା
ରାଧା ରାଣୀ ନାମେ ଗୋପପୁରରେ
ଲୋ, ବାଜୁଛି ନିନ୍ଦା ନାଗରା ।
ଶାଶୁ ଓ ନଣନ୍ଦ ଦିଅନ୍ତି ଗଞ୍ଜଣା
ରାଧା ରହେ ତୁନି ହୋଇ
ଜାଣିଛି ସେ ମନେ କାହ୍ନୁ ତାର ପ୍ରାଣ
ଭୁଲି ସେ ପାରିବ ନାହିଁ ।
କୃଷ୍ଣ ବିନା ରାଧା ବଞ୍ଚି କି ପାରିବ
ଏଇ ଗୋପ ନଗରୀରେ
କାହା କଥା ସିଏ ଶୁଣିବ କାହିଁକି
ମନ ତା ବୃନ୍ଦାବନରେ ।
ବଇଁଶୀ ବାଜିଲେ ରାଧା ରାଣୀ ଆଉ
ରହି ପାରିବନି ଘରେ
କାଖରେ କଳସୀ ଧରିଣ ସେ ଆସି
ଉଭା ଯମୁନା କୁଳରେ ।
କୃଷ୍ଣ ପ୍ରେମେ ବାଇ ସେ ରାଇ କିଶୋରୀ
ଏ ତ ବିଧିର ବିଧାନ
ପ୍ରଭୁ ରାଧା କୃଷ୍ଣ ଚରଣେ ଶରଣ
ପଶୁଛି ଏ ଅକିଞ୍ଚନ।
