ନାରୀ ମୋ ବୋହୁ
ନାରୀ ମୋ ବୋହୁ
ଟିକେ ହସିଦେଲେ ମଧୁ ଝରିଯାଏ,
କଥାରେ ଝରଇ ସୁଧା,
ଅଳପ ଲାଜରେ ଫୁଲ ଫୁଟିଯାଏ
ଚାହାଣିତ ମନ ଲୋଭା ।
ବୋହୁ ଘରେ ଥିଲେ ତୁଳସୀ ଚଉରା
ବାସୁ ଥାଏ ମହମହ
ଖୁସିର ମଳୟ ସଦା ବହିଯାଏ
ପୁଲକିତ ଯେ ହୃଦୟ ।
ଅଗଣାରେ ଖେଳେ ସାତରଙ୍ଗୀ ରଶ୍ମି
ନୂତନ ଜୀବନ ଆସେ
ପ୍ରେମର ପୁଲକେ ପୁଲକିତ ପ୍ରାଣ
ଆଶୀର୍ବାଦ ର ହରସେ।
ଓଠ ତଳ ହସ ଲୁଚାଇ ବୁନି ତୁ
ଝରାଇବୁ ସବୁବେଳେ,
ନୁଆ ଦୁନିଆ ତୋ ଅପେକ୍ଷା କରିଛି
ତୋଳି ନେବେ ଅଞ୍ଜୁଳିରେ।
ଆଣିଛିନ୍ତି ତୋତେ ବାପା ,ମାଆ ତୋର
ସସମ୍ମାନେ ଏହି ଘରେ,
ଜନ୍ମ ନ ଦେଲେ ବି ଜନ୍ମଦାତା ଭଳି
ରହିବୁ ତାଙ୍କ ପାଖରେ।
ଜୀବନ ସାଥି ତୋ ହୀରା ଲିଳା ମୋତି
ନ ଦେଲେ ଦେବ ଜୀବନ,
ସୁଖ ,ଦୁଃଖ ,ହସ ,କାନ୍ଦ ସାଥେ ସାଥି ହେବ
ସଜାଇବ ତୋର ମନ।
ତୋର ଓଠ ତଳ ହସ ବିନିମୟେ
କିଣିନେବୁ ସବୁ ଘରେ,
ନିଜ ସମ୍ପର୍କୀୟ ମାନଙ୍କ ଅଭାବ
କେବେ ନ ଭାବିବୁ ଥରେ।
ସାତ ଜନମର ସମ୍ପର୍କ ଏ ଅଟେ
ଯୋଡିବୁ ସମ୍ପର୍କ ସେତୁ,
ମଧୁର ବଚନେ ହୃଦୟ କିଣିବ
ସୁନା ବୋହୁ ଅଟୁ ତୁ।
