ବସନ୍ତର ଚିଠି
ବସନ୍ତର ଚିଠି
ବସନ୍ତ ଲେଖିଛି ବଉଳକୁ ଚିଠି,
ପ୍ରୀତି ସମ୍ଭାଷଣ ଦେଇ
କୋଇଲି ନହୁଲି ମହୁଲି ତାନରେ,
ଯାଉଛି ମନକୁ ଛୁଇଁ ।
ଆମ୍ବ ପତରର କାଗଜ ଛାତିରେ,
ପ୍ରେମର ଭାଷାକୁ ନେଇ
ହୋଲିର କାଳିରେ ଲେଖିଛି ବସନ୍ତ,
ଆସୁଛି ଏ ଧରା ଭୂଇଁ ।
ମଦନ ଆସୁଛି ବସନ୍ତ ସାଥିରେ,
ହାତେ ଧରି ପୁଷ୍ପଧନୁ
ନୀଳୋତ୍ପଳ ସହ ନବ ମଲ୍ଲୀକା ଯେ,
ଅଶୋକା ବକୁଳ ବନୁ ।
ଶ୍ୱେତପଦ୍ମ ଧରି ସେ ରତି ସୁନ୍ଦରୀ,
କାମଦେବ ଅର୍ଦ୍ଧାଙ୍ଗିନୀ
ସାଜିଛି ପ୍ରକୃତି ଫୁଲରାଣୀ ହୋଇ,
ଗାଇ ପ୍ରୀତି ଆବାହନୀ ।
ସୁମନାଙ୍କ ଵାସ ଚୋରାଇ ନେବାକୁ,
କହିଲାଣି ଅଳି କାନେ
କମନୀୟ ବିଭା ମଞ୍ଜୁଳ ଦିଶୁଛି,
କୁଞ୍ଜିତ କୁଞ୍ଜର ବନେ ।
ପ୍ରଜାପତି ଉଡ଼େ ଚିତ୍ରିତ ଡେଣାରେ,
ଆମନ୍ତ୍ରଣ ପତ୍ର ଧରି
ଆସୁଛି ବସନ୍ତ ଚିଠିର ଶବଦ,
ଖେଳାଏ ପ୍ରୀତି ଭଉଁରୀ ।
ଫଗୁଣର ରଙ୍ଗ ଦେହେ ମହୋତ୍ସବ,
ଚିହ୍ନା ବାସ୍ନା ଯାଏ ଛୁଇଁ
ଯାଦୁଗରୀ ଛୁଆଁ ତନୁ ତନିମାରେ,
ନିଦାଘର କଷ୍ଟ ନାହିଁ ।
ହଳଦୀ ବସନ୍ତ ହଳଦୀ ମାଖିଛି,
ଚୂତ ଡାଳେ ଖେଳେ ଦୋଳି
ଋତୁରାଜ ସହ ପ୍ରୀତିରାଜଙ୍କର,
ହୋଇଅଛି ପରା ମେଳି ।
ଝୁଲୁଛି ବିମାନ ମଦନ ମୋହନ,
ରାଧିକା ସୁନ୍ଦରୀ ସହ
ଯୁଗଳ ମୂରତି ପ୍ରେମର କପୋତୀ,
ଏକ ମନ ଦୁଇ ଦେହ ।
ପ୍ରୀତିର ବରଷା ଭିଜାଇ ଦିଅଇ,
ଫଗୁଣର ଫଗୁ ବୁଣି
ସ୍ବପ୍ନ ସମ୍ଭାବନା ମିଳନ ମାଧୁରୀ,
ମୋହନ ମୁରଲୀ ଶୁଣି ।
ସାତରଙ୍ଗୀ ଶାଢ଼ୀ ପିନ୍ଧିଛି ପ୍ରକୃତି,
ଅଳସେ ସଜେଇ ହୋଇ
ଘନ କବରୀରେ ଫୁଲର ଗଜରା,
ରଜନୀଗନ୍ଧାକୁ ନାଇଁ ।
ରଙ୍ଗ ପିଚକାରୀ ରଙ୍ଗରେ ଧୋଉଛି,
ଶୁଭାଙ୍ଗୀର ତନୁମନ
ନିଦୁଆ ଆଖିରେ ତନ୍ଦ୍ରାକୁ ଲେପିଛି,
ଦେଖୁଛି ପ୍ରିୟ ସପନ ।
ପୀରତି ନିଶାରେ ଝୁମି ଝୁମି ଯାଏ,
ବସନ୍ତର ଚିଠି ପଢି
ହୃଦୟ ସମ୍ପଦ ଅଜାଡ଼ି ଦେଉଛି,
ସତେ ଅବା ନଈ ବଢ଼ି ।
ବସନ୍ତ ବିଜୟ ବାରତା ଦେଉଛି,
ଋତୁ ସମ୍ରାଟର ଭାଷା
ଫୁଲେଇ ଫଗୁଣ କୁହୁ ସଂଗୀତରେ,
ଅଧରେ ମହୁଆ ନିଶା ।
ମଧୁଝରା ରଙ୍ଗ ଫଗୁ ଅବିରରେ,
ନିଆଁ ଲାଗେ ଉପବନେ
ଚୁପି ଚୁପି ଆସେ ମଳୟ ସମୀର
ହୃଦୟର ଉପକୂଳେ ।
ଯୁଇ ଯାଇ ମଲ୍ଲୀ ମାଧବୀ ନିଆଳୀ,
କିଆ କେତକୀର ବାସେ
ପଲ୍ଲବିତ ତରୁ ଲତିକା କୁଞ୍ଜରେ,
ବସନ୍ତର ଚିଠି ଆସେ ।