ମନର ଭାବନା
ମନର ଭାବନା


ହୃଦୟ ର କଥା ହୃଦୟରେ ଥାଉ
କାହାକୁ କହିବି ନାହିଁ ,
ଅକୁହା କଥାକୁ ମନରେ ମୋ ରଖି
କେମିତି ପାରିବି ରହି ।
ମୁଁ ଯେ ଭଲପାଏ ଚକାଆଖିଆ କୁ
କେମିତି ବୁଝିବ କିଏ
ଓଠ ଖୋଲି ଯଦି କହି ନ ପାରିବି
ବୁଝି ପାରିବ କି ସିଏ ।
ହଁ କାହିଁକି ଏକଥା ବୁଝିନପାରିବ
ଅନ୍ତର୍ଯ୍ୟାମୀ ପରା ସିଏ ,
ହୃଦୟ ର ଭାଷା ସେ ବୁଝିପାରିବ
ଏମିତି ଦେବତା ଟିଏ ।
ଚକାଡୋଳା ମୋର ମୋ ନେତ୍ରରେ ଥାଉ
କହିବି ନାହିଁ କାହାକୁ ,
ସେ ଯେ ପରଂବ୍ରହ୍ମ ଜଗତକରତା
ଭଲପାଏ ମୁଁ ଯାହାକୁ ।
ପାଇବି କି ନାହିଁ ଜାଣି ନାହିଁ ମୁହିଁ
ତଥାପି ଝୁରୁଛି ମନ ,
ରାତିସାରା ମତେ ନିଦ ହେଉନାହିଁ
ଦେଖୁଛି ତା'ରି ସପନ ।
ସପନରେ ଆସି ପାଖରେ ମୋ ବସି
ଆଉଁସି ଦିଏ ମୋ ମଥା ,
ସପନ ଭାଙ୍ଗିଲେ ନିଦରୁ ଉଠିଲେ
ଭାବେ ଖାଲି ତା'ରି କଥା ।
ଶୁଣିଛି ଅନେକ ଲୋକମାନଙ୍କ ର
ମନସ୍ତାତ୍ତ୍ବିକ ର କଥା ,
ମନର ମଣିଷ ମନେ
ପକାଇଲେ
ମନେ ପଡେ ତାହାରି କଥା ।
ତେଣୁ କରି ମୋର ବିଶ୍ବାସ ଜନମେ
ସିଏ ବି ଚାହୁଁଥିବ ମୋତେ ,
କାହିଁକି କେଜାଣି ତା'ବିଷୟରେ
ମୁଁ ଭାବି ବସୁଅଛି କେତେ ।
ରାଧା ଯେ କେତେ ଭଲପାଉଥିଲେ
ତ୍ୟାଗ ରେ ସେ ଖୁସି ହେଲେ,
ମୀରା ପୁଣି ତାଙ୍କୁ ଭଜି ଭଜି କରି
ଏ ସଂସାରୁ ସେ ତରିଗଲେ ।
ସେ ଯେ ଜଗନ୍ନାଥ ଜଗତର ନାଥ
ତୁଳସୀ ଯେ ତାଙ୍କ ପ୍ରିୟ ,
ତୁଳସୀ ବିନା ଯେ କିଛି ନ ଘେନନ୍ତି
ଭାବନ୍ତି ସବୁକୁ ହେୟ ।
ତେଣୁ କରି ମୁଁ ଯେ ହେବାକୁ ଚାହୁଁଛି
ତାଙ୍କ ମନର ତୁଳସୀ ,
ତାଙ୍କ ପୂଜା କାଳେ ଥିବି ସବୁବେଳେ
ସେ ଯେ ହେଉଥିବେ ଖୁସି ।
ତାଙ୍କ ପାଖେ ପାଖେ ଥିବି ସଦାକାଳେ
ତାଙ୍କରି ପରଶ ପାଇ ,
ଏହା ଯେ ମୋହରି ମନର ଭାବନା
ପାରିବି କି ତାଙ୍କୁ ପାଇ ।
ବିଷ୍ଣୁ, ରାମ,କୃଷ୍ଣ ଆଉ ଜଗନ୍ନାଥ
ଅନେକ ତାଙ୍କର ନାମ ,
ହୃଦୟରେ ମୋର ରଖିକି ତାହାଙ୍କୁ
କରୁଛି ନିତି ପ୍ରଣାମ ।