ହୃଦୟ ର ଡାକ
ହୃଦୟ ର ଡାକ


ମୋ ମନ ମନ୍ଦିରେ ଅଛ ବୋଲି ପ୍ରଭୁ
ହୃଦୟେ ଡାକୁଛି ନିତି,
ମୋ ହୃଦୟର ରାଜା ତୁମେ ଅଟ ପ୍ରଭୁ
ନାହିଁ ମୋ କାହାକୁ ଭୀତି ।
କଳା ରଙ୍ଗ ଦେହ ଚକାଆଖିଆ
ପ୍ରଭୁ ସେଇ ଜଗନ୍ନାଥ,
ଦୁନିଆ ଯାକର ଦୁଃଖ ବୁଝୁଛନ୍ତି
ଜଗତର ସିଏ ନାଥ ।
ଦୁଃଖିଜନଙ୍କର ବନ୍ଧୁ ବୋଲାନ୍ତି ସେ
ତେଣୁ ନାମ ତାଙ୍କ ଦୀନବାନ୍ଧବ,
ଭକତ ଡାକନ୍ତି କେତେ ନାମ ଦେଇ
ବର୍ଣ୍ଣନା କେ କରି ପାରିବ ।
ମୁଁ ଯେ ନୁହେଁ ରାଧା ଗୋପପୁରର
ନା ମୁଁ ମୀରାବାଈ,
ମୁଁ ଯେ ଏକ ନାରୀ ତରିଯିବି ଭବୁ
ତୁମରି ଦର୍ଶନ ପାଇ ।
ନାରୀ ବୋଲି ମୁଁ ଯେ ଏ ସାରା ଦୁନିଆ
କହୁଛି ଅବଳା ଦୁର୍ବଳା,
ଏତେ ଶକ୍ତି ଦିଅ ମୋ ମନ ଶରୀରେ
ହୋଇଉଠିବି ମୁଁ ସବଳା ।
ନଥିବ ଶୋଷଣ ନାରୀ ନିର୍ଯ୍ୟାତନା
ସମାପ୍ତ ହେବ ଅତ୍ୟାଚାର,
ଏତିକି କର ହେ ଚକାନୟନ
ଜୀବନ ହୋଇବ ସୁମଧୁର ।
ମାଗୁଣି ଏତିକି ହେ କଳାଠାକୁର
ସଦା ତୁମ ଦୟା ହୋଇବ,
ଏ ମନ ଶରୀର ତୁଳସୀଙ୍କ ପରି
ନିର୍ମଳ ପବିତ୍ର ରହିବ ।
ହୃଦୟର ଡାକ ହେ ଚକାନୟନ
ଶୁଣି ପାରୁଛନା ତୁମେ,
ନିରବେ ଡାକିଣ ଅନ୍ତର ଭିତରେ
ତବ ଶ୍ରୀ ଚରଣେ ନମେ ।