ତଥାପି ପ୍ରତୀକ୍ଷା
ତଥାପି ପ୍ରତୀକ୍ଷା


କଳାହାଣ୍ଡିଆ ମେଘ ଆସିଥିଲା ବୁଲି
ଧରା ବକ୍ଷେ ନୀର ସିଞ୍ଚିଲା ,
ମନ୍ଦ ମଳୟରେ ତା'ବାସ୍ନା କୁ ଭରି
ଆଗରୁ ବାରତା ଦେଇଥିଲା ।
ଜଳଦ ଆସିବା ବାରତା ପାଇ କି
ମନେ ମନେ ଖୁସି ହେଉଥିଲି,
ଗାଆଁ କଥା ମୋର ପଚାରିବି ତାକୁ
କେତେ ମୁଁ ଯେ ଭାବି ହେଉଥିଲି ।
ଦୂର ସହର ରେ ଲାଗୁନାହିଁ ମନ
ଗାଆଁ କଥା ମନେ ପଡୁଛି,
ଛୋଟ ହେଲେ ମଧ୍ୟ ମୋ ପାଇଁ ସୁନ୍ଦର
ଶାନ୍ତି ଭରି ହୋଇ ରହିଛି ।
strong>
ମନରେ ମୋହର ଅସୁମାରୀ ଆଶା
ପଚାରିବି ବୋଲି ତାହାକୁ,
କେତେବେଳେ ସିଏ ଆସିବ ବୋଲିଣ
ଚାହିଁ ରହିଥାଏ ନଭ କୁ ।
ଆସିଲା ଅମ୍ବୁଦ ସୌଦାମିନୀ ସହ
ମୋ ସହିତ କଥା ନୋହିଲା,
ଯାହା ପଚାରିଲି ଉତ୍ତର ନଦେଇ
ମୁହଁ ଫୁଲେଇକି ଚାହିଁଲା ।
ଯାହା ମୁଁ କହିଲି ନିରବେ ଶୁଣିଲା
ଥାଇଣ ନଭୋମଣ୍ଡଳେ
ରହିଲି କେବଳ କ୍ଷୁବ୍ଧ ଭାବରେ
ତା' ଉତ୍ତର ପ୍ରତୀକ୍ଷା ରେ ।