ବାସନ୍ତୀ ଦେବୀ
ବାସନ୍ତୀ ଦେବୀ
ଋତୁରାଜ ଆସନ୍ତେ ଧରା ବକ୍ଷରେ
ନୂତନ କିଶଳୟ ପାଦପ ଧରେ ଯେ
କିଂଶୁକ ବନ ଦିଶେ ଅରୁଣ ଶୋଭା
ଚ୍ୟୁତ ବକୁଳ ବାସ କି ମନଲୋଭା ଯେ l
ନାନାବର୍ଣ୍ଣ କୁସୁମ ବାସ ମହକେ
ଶୁକ କୋକିଳ ଶାରୀ ପିକ ଓ ଭେକେ ଯେ
ଆର୍ତ୍ତ ମଦନେ ସର୍ବେ କୁସୁମକରେ
ବାସନ୍ତୀ ବିଜେକଲେ ପୃଥ୍ଵୀ ପୃଷ୍ଠରେ ଯେ l
ବସନ୍ତେ ଆଗମନ "ଦେବୀ ବାସନ୍ତୀ"
ଋତୁରାଜ ଗମନ କାଳେ ଆସନ୍ତି ଯେ
ଦେବ ଶକ୍ତି ପୁଞ୍ଜରୁ ମେଧା ଆଶ୍ରମେ
ଯଜ୍ଞାଽନଳୁ ଶମ୍ଭୁତା ଏ ଧରା ଧାମେ ଯେ l
ମହିଷା ଉପଦ୍ରଵ ସହିନପାରି
ଦେବେ ମିଳିତଭାବେ କଲେ ଗୁହାରୀ ଯେ
ଦେବତା ଶକ୍ତି ବଳେ ଅଙ୍ଗ ଗଢିଲେ
ବସ୍ତ୍ର ଭୂଷଣ ସହ ଆୟୁଧ ଦେଲେ ଯେ l
ଶ୍ରେଷ୍ଠ ବାହନ ପଶୁପତି ତୁମ୍ଭର
ତେଜପୁଞ୍ଜ ଲାଗିଲା ଯାଇ ନଭର ଯେ
ଉପମା କିବା ଦେବି "ଦେବୀ ବାସନ୍ତୀ "
ମାର୍କଣ୍ଡେୟ ଋଷି ବର୍ଣ୍ଣି ନପାରନ୍ତି ଯେ l
ମହିଷା ନିବାରିଲ ସଦଳବଳେ
ଧୂମ୍ରଲୋଚନ ବଧ କରିଲ ଶୁଳେ ଯେ
ଚଣ୍ଡ ମୁଣ୍ଡ ସହିତେ ସେ ରକ୍ତବୀର୍ଜ
ନିଶୁମ୍ଭ ଶୁମ୍ଭ ତାରି ବଢିଲା ଶୌର୍ଯ୍ୟ ଯେ l
ଦେବେ ସ୍ତୁତି କରିଲେ ହେଲ ସନ୍ତୁଷ୍ଟ
ଅଭୟ ବର ଦେଲ ହୋଇଲେ ହୃଷ୍ଟ ଯେ
ଅକାଳେ ବୋଧ କଲେ ଶ୍ରୀରାମ ଯେଣୁ
ଶରତେ ଆସିଥିଲ ଧରାକୁ ତେଣୁ ଯେ l
ରାଜା ସୁରଥ ବୈଶ୍ୟ ସମାଧି ଜାଣି
ଦିବ୍ୟଭାବେ ପୂଜିଲେ ତୋ ପାଦେ ପୁଣି ଯେ
ଅଯାଚିତେ ଭୁକ୍ତି ଓ ମୁକ୍ତି ତୁ ଦେଲୁ
ରାଜ୍ୟ ପ୍ରଦାନ କରି ରାଜା କରିଲୁ ଯେ l
ଏମନ୍ତ ମହିମା ତୋ ଜଗତମାତ
ଅଭୟ କରେ ଚରଣେ ପ୍ରଣିପାତ ଯେ
ଅନନ୍ତକୋଟି ନମନ ଯୋଡହସ୍ତ
କର ପ୍ରସାରି ଦିଅ ଯାଉ ଦୁରିତ ଯେ ।