ସୀତା ଠାବ ନିମନ୍ତେ ମନ୍ତ୍ରଣା
ସୀତା ଠାବ ନିମନ୍ତେ ମନ୍ତ୍ରଣା
ଚାତୁର୍ମାସ୍ୟା ଯେ ଏବେ ଯାଇଛି ସରି,
ସୀତା ଠାବ ନିମନ୍ତେ ବିଚାର କରି ଯେ l
ଡାକିଲେ ରାମଚନ୍ଦ୍ର ଭାଇ ସୌମିତ୍ରି
ସୁଗ୍ରୀବରେ ସନ୍ଦେଶ ଦିଅ ଝଟତି ଯେ l
ରାଜ୍ୟଭାର ପୁଣିହିଁ ଭୋଗ ବିଳାସେ,
ଭୁଲିଗଲେ ସେ ଅବା ରହି ଆଳସ୍ୟେ ଯେ l
ଏହି ବଚନ ମୁଖୁ ଭ୍ରାତାଙ୍କ ଶୁଣି,
ସୌମିତ୍ରି କମ୍ପମାନ ଶିରକୁ ଝୁଣି ଯେ l
ପହଞ୍ଚି କିସ୍କିନ୍ଧ୍ୟାର ରାଜ ପ୍ରାସାଦେ,
ଝିଙ୍ଗାସ ବାଣୀ କହି ମହା ସକ୍ରୋଧେ ଯେ l
ସୁଗ୍ରୀବ ଜାମ୍ବବାନ ଅଙ୍ଗଦ ନଳ,
ନୀଳ ଦ୍ବିବିନ୍ଦ ଆଦି ବାନରକୁଳ ଯେ l
ଲକ୍ଷ୍ମଣେ ଶାନ୍ତକରି ଚରଣ ଧରି,
ତାଙ୍କ ସହିତ ନଗ୍ରୁ ଆସି ବାହାରି ଯେ l
ଋଷ୍ୟମୁକେ ପହଞ୍ଚି ଶ୍ରୀରାମ ପାଶେ,
ସମ୍ମାନ ଜଣାଇଲେ ଯେଝା ବିଶେଷେ ଯେ l
ସୀତା ଠାବକୁ ହେଲା ଯେ ଆଲୋଚନା,
ସୁଗ୍ରୀବ ଜାମ୍ବବାନ ବାନର ସେନା ଯେ l
ପ୍ରାଚୀ ପଶ୍ଚିମ ପୁଣି ଉତ୍ତର ଦିଗେ,
ନଳ ନୀଳ ଦ୍ବିବିନ୍ଦ ସେନାଙ୍କ ଭାଗେ ଯେ l
ଦକ୍ଷିଣ ଦିଗ ଅଟେ ଦୁର୍ଭେଦ୍ୟ ପଥ,
ହସ୍ତୀ ଗଜ ପଦାତି ନଯିବ ରଥ ଯେ l
ମହା ସମୁଦ୍ର ଅଛି ଦକ୍ଷିଣ ଲାଗେ,
ଜୁଟିଲା ହନୁମାନ ଅଙ୍ଗଦ ଭାଗ୍ୟେ ଯେ l
ଅଙ୍ଗଦ ବୋଲେ ଯାଇ ପାରିବି ମୁହିଁ,
ଫେରିବା ପଥ ମୋରେ ନୁହେଁ ଯୋଗାଇ ଯେ l
ଏଥକୁ ହନୁମାନ ଏକା ସମର୍ଥ,
ଯାଇ ଫେରିବା ତାଙ୍କ ନୋହିବ ବ୍ୟର୍ଥ ଯେ l
ସିଦ୍ଧାନ୍ତ ହେଲା ହନୁ ଯିବେ ଲଙ୍କାକୁ,
ସେଠି ଖୋଜିବେ ଯାଇ ମାତା ସୀତାଙ୍କୁ ଯେ l
ପାତ୍ର ମନ୍ତ୍ରୀଙ୍କୁ ନେଇ ଏହି ମନ୍ତ୍ରଣା,
ଶୁଣି ଶ୍ରୀରାମ ହେଲେ ଆନନ୍ଦ ମନା ଯେ l