STORYMIRROR

Pt.Abhaya Kumar Tripathy Sharma

Classics

3  

Pt.Abhaya Kumar Tripathy Sharma

Classics

ମତଙ୍ଗ ଆଶ୍ରମେ ଶ୍ରୀରାମ ଶବରୀ

ମତଙ୍ଗ ଆଶ୍ରମେ ଶ୍ରୀରାମ ଶବରୀ

2 mins
140


    (ରାଗ :- କନଡା)


ବନସ୍ତ ରାଜନ ଶ୍ରୁତାୟୁ କିରାତ ନାରୀ ମନ୍ଦାକିନୀ ଶମ୍ଭୁତା

ଶ୍ରମଣା ସୁନ୍ଦରୀ ନାମେ ଦୁହିତା

ଶ୍ରବଣା ନକ୍ଷତ୍ରେ ଜନମିଥିବାରୁ ନାମ ଦେଇଥିଲେ ତା'ପିତା

ସେ ଲଳନା......

ଆୟୋଜନ ସେ ବିବାହ ନିମନ୍ତେ

ତିନିଶହ ମୃଗ ଶାବକ ଯୁଥେ

ବନ୍ଧାହେବା ଦେଖି ପଚାରେ ସଖୀଙ୍କୁ ଏପରି ବ୍ୟବସ୍ଥା କେମନ୍ତେ ll

ହରଷେ ଉତ୍ତର ଦିଅନ୍ତି ସଖିଏ ବିବାହର ଭୋଜି ନିମନ୍ତେ

ମରାହେବେ ଏ'ଯେ ମାଂସର ଅର୍ଥେ

ଅତିଥି ସତ୍କାର କରିବେ ରାଜନ ଭୋଜିଖାଇ ଯିବେ ସେ ପ୍ରିତେ

ସେ ସୁନ୍ଦରୀ........

ଶୁଣି ହଂସା ଉଡିଗଲା ପ୍ରାୟେକ

ବିଭା ନ କରିବି ଜୀବନ ଧିକ୍କ

ଲୁଚି ରାତ୍ରକାଳେ ବାହାରିଲା ବନେ ଶୁଭୁଥିଲା ହିଂସ୍ରଙ୍କ ଡାକ ll

ଭୂଧର ପାଦପ ନିର୍ଝର ଶୋଭିତ ବନାନୀ ମଧ୍ୟରେ ଆଶ୍ରମ

ବଡ଼ ଶୋଭାବନ ସେ ଅନୁପମ 

ଶିଷ୍ୟକୁଳ ଘେନି ସେ ମତଙ୍ଗ ମୁନୀ କରନ୍ତି ସେଠାରେ ବିଶ୍ରାମ

ଏକାଳେ........

ଶବର ଶ୍ରୁତାୟୁ ସ୍ତ୍ରୀ ମନ୍ଦାକିନୀ

ସୁତା ଶ୍ରମଣା ବେଶ କିରାତିନୀ

ପିତାମାତା ବନ୍ଧୁ ଆତ୍ମୀୟ ସ୍ୱଜନ ତେଜି ହେବ ସେ ତପସ୍ୱିନୀ ll

ଆସୁଛି ଲଳନା ସେ ଚନ୍ଦ୍ରବଦନା ମାତାପିଅର ପଛେଛନ୍ତି

ଫେରିବାକୁ ଘରେ ତାକୁ ମଣାନ୍ତି

କୈଶୋରୀ ବୟସେ କି କରିବୁ ବନେ ଆମେ ଯେ ଅଚ୍ଛବ ଜାତିରେ ଦୁହିତା........

ଆଶ୍ରମରେଛନ୍ତି ମୁନି ପ୍ରଚେତା 

ସେବାରେ କାଟିବି ଜୀବନ ସତ୍ତା

ଫେରିଯାଅ ଘରେ ନଥାଅ ପଛରେ ଜନ୍ମଦେଲ ମୋ ପିତାମାତା ll

ମୁନିଙ୍କ ଚରଣେ ପ୍ରଣତି ବାଢିଲା ଯାଇ ଶ୍ରମଣା କିରାତିନୀ

ପାଦେ ପଡ଼ି କଲା ସେ ଦୟିନୀ

ସେବିକା ପଣରେ ରଖନ୍ତୁ ପାଶରେ କରୁଛି ଏତିକି ମାଗୁଣି

ହେ ତପସ୍ୱୀ........

ସନ୍ତୁଷ୍ଟ ଚିତ୍ତରେ ଆଜ୍ଞା ଦେଲେ ସେ

ରହିଥିବୁ ସଦା ଆଶ୍ରମପାଶେ

ପରିମଳସେବା ଆଶ୍ରମର ଶୋଭା ରଖିଥିବୁ ନିଶି ଦିବସେ ll

ଏମନ୍ତେ ବିତିଲା ନିଶିଦିବସ ଯେ ମୁନିଯିବେ ଅନ୍ୟତ୍ର ବାସ

ଡାକିଲେ ଶ୍ରମଣା ଆସତୁ ପାଶ

ଆଶ୍ରମ ଦାୟୀତ୍ୱ ଆଜିଠୁ ତୋହର ମନ ରଖିଥିବୁ ତୁ ବ୍ରହ୍ମପାଶରେ ଶ୍ରମଣା........

ଭେଟିବୁ ନିଶ୍ଚୟ ତୁ ବ୍ରହ୍ମରାଶି

ମିଳିବେଟି ଦିନେ ତୋ ପାଶେ ଆସି

ଜୀବନ ସାର୍ଥକ ହୋଇଯିବ ସତ୍ୟ ବ୍ରହ୍ମରେ ଯିବୁଟିରେ ମିଶି ll

ଅଯୋଧ୍ୟା ନରେଶ ଅଜଙ୍କର ସୁତ ସେ ସତ୍ୟବ୍ରତ ଦଶରଥ

ଶ୍ରୀରାମ ଲକ୍ଷ୍ମଣ ତାଙ୍କର ପୁତ୍ର

ସୀତାଙ୍କ ସହିତ ବନବାସ ଅର୍ଥେ ଆସିବେ ଦିନେ ବନପଥ

ସେ ରାବଣ......

ହରିନେବ ସତୀ ସୀତାଙ୍କୁ ଜାଣ

ସଵଂଶେ ବିନାଶ କରିଣ ପଣ

ଏପଥେ ଆସିବେ ସୌମିତ୍ରି ସହିତ ପରଂବ୍ରହ୍ମ ଶ୍ରୀ ରଘୁରାଣ ll

ଦିନ ପରେ ଦିନ ମାସାନ୍ତରେ ମାସ ବର୍ଷାନ୍ତରେ ଆସେ ବାର୍ଦ୍ଧକ୍ୟ

ନମଲା ଶବରୀ ମନର ଭୋକ

ନିତି ସଜାଉଛି ସୁ-ପୁଷ୍ପରେ ପଥ ଅନାଇ ବସିଛି ଶ୍ରୀମୁଖ

ହେ ଶ୍ରୀରାମ........

ଜପୁଥାଏ ଶ୍ରୀ ରାଜୀବ ଲୋଚନ

ଆନରେ ନଥାଏ ତାହାର ମନ

ହୋଇଲା ତେମନ୍ତ ପ୍ରତୀକ୍ଷାର ଅନ୍ତ ମିଳିଲେ ରାଜୀବଲୋଚନ ll

ଅଦୂରେ ଦେଖିଲା ଗୌର ଶ୍ୟାମ ମୂର୍ତ୍ତି ଆଶ୍ଚର୍ଯ୍ୟ ଚକିତ ଲୋଚନେ

ସତେକି ମୋ ପ୍ରଭୁ ଭାବଇ ମନେ

କୋମଳ ଶରୀର ଦେହେ ଦିବ୍ୟକାନ୍ତି ଯୁବତୀ ଜଳିବେ ମଦନେ

ହା ଶ୍ରୀରାମ.......

ମୁଖେ ଉଚ୍ଚାରି ପାଦରେ ପଡିଲା

ଆନନ୍ଦର ଅଶ୍ରୁ ପାଦେ ଢାଳିଲା

ଧୋଇ ପୋଛି ପାଦ ପାଦଉଦକକୁ ମୁଖେ ଭରି ଗର୍ଭେ କ୍ଷେପିଲା ll

ତୃଣ ଆସନରେ ବସାଇ ଯତ୍ନରେ କୋମଳ ପାଦ ମଞ୍ଚାଳିଲା

ଚାଖିକରି ଫଳ ସେ ଆଣିଥିଲା

ସୁମିଷ୍ଟ ଫଳକୁ ଭୁଞ୍ଜାଇ ପ୍ରଭୁଙ୍କୁ କଷା ପିତା ଯେ ଫୋପାଡ଼ିଲା

ସେ ସୌମିତ୍ରି.......

ମନରେ ବିକାର ଆଣି ଭାବିଲେ

ଏପରି କି' ଭାବ ଶବରୀତୁଲେ

ଉଚ୍ଚିଷ୍ଟ ଫଳକୁ ଅମୃତ ମଣୋହି ପ୍ରଭୁ ମୋ କିପରି କରିଲେ ll

ରଘୁକୁଳ ରାଣ ରାଜୀବଲୋଚନ ଲକ୍ଷ୍ମଣ ମନକୁ ଜାଣିଲେ

ଶ୍ରମଣାର ଭକ୍ତି ତାଙ୍କୁ କହିଲେ

ଯୁଗାନ୍ତରୁ ବସି ତପସ୍ୟା କରିଛି ଲକ୍ଷ୍ମଣ ସେକଥା ବୁଝିଲେ

ସେ ଶବରୀ.......

ରାମ ନାମ ବସି ପାଦେ ଜପିଲା

ଏକାଳେ ପିଣ୍ଡରୁ ପ୍ରାଣ ଛାଡିଲା

ପ୍ରଭୁଙ୍କର ଅଙ୍ଗେ ଆତ୍ମପ୍ରଦୀପଟି ପରମବ୍ରହ୍ମରେ ମିଶିଲା ll



Rate this content
Log in

Similar oriya poem from Classics