STORYMIRROR

CHINMAYEE PRADHAN

Abstract Inspirational

4  

CHINMAYEE PRADHAN

Abstract Inspirational

କେବେ କୁହ ତୁମେ ନିଜର କାହାଣୀ

କେବେ କୁହ ତୁମେ ନିଜର କାହାଣୀ

1 min
359


କେବେ କୁହ ତୁମେ ନିଜର କାହାଣୀ

     ପଚାରୁଛ ସବୁବେଳେ,

କେମିତି କହିବି ସେ ଅତୀତ କଥା

     ଶୁଣିନେବ କିଏ କାଳେ ।

ଗର୍ଭରେ ରହିବା ଦିନଠୁଁ ଯାତନା

     ସହୁଥିଲା ମୋର ମାଆ,

ଜେଜେମା କହିଲା ପୁଅ ହେଲେ ଭଲ

     ଝିଅ ହେଲେ ନାହିଁ ରାହା।

ଦଇବ ସହିଲା ନାହିଁ ମୋ ମାଆକୁ

    କନ୍ୟା ହେଇ ଜନ୍ମ ହେଲି,

ମତେ ତ ଫିଙ୍ଗିଲେ ଅଳିଆ ଗଦାକୁ

     ମରୁ ମରୁ ବଞ୍ଚିଗଲି।

କ୍ରନ୍ଦନ ଶୁଣି ମୋ ରିକ୍ସାବାଲାଟା

     କୋଳ କରି ନେଲା ମତେ, 

ଧନ ନାହିଁ ସିନା ମନ ବଡ ତାର

     ଆଦରେ ପାଳିଲା ସତେ। 

ବ୍ୟୋମ ସମ ତାଙ୍କ ବିଶାଳ ହୃଦୟ 

     ଦୟା, ସେବା ପ୍ରତିମୂର୍ତ୍ତି, 

ଇଶ୍ଵରଙ୍କ ପ୍ରତିରୂପ ସେ ମୋ ପାଇଁ 

     ଜଣାଏ ପାଦେ ପ୍ରଣତି। 

ପାଠଶାଠ ପଢି ବଡ ହେଲି ମୁହିଁ 

     ବିବାହ ବୟସ ହେଲା, 

ଉପଯୁକ୍ତ ପାତ୍ର ଦେଖି ବିଭା ଦେଲେ 

     ଦାୟିତ୍ଵ ତାଙ୍କ ସରିଲା। 

ଜାଣି ନଥିଲେ ସେ ଭଦ୍ରଚେହେରାରେ 

     ରାକ୍ଷସଟେ ଲୁଚିଥିଲା, 

ମାସେ ନ ପୁରୁଣୁ ଯୌତୁକ ପାଇଁକି 

     ଅତ୍ୟାଚାର ଆରମ୍ଭିଲା। 

ଦୃଢ଼ କରି ନିଜ ମନକୁ ନିଜେ ମୁଁ 

    ପ୍ରତିବାଦ ତାର କଲି, 

ଯୌତୁକ ଜୁଇରେ କେହି ନ ଜଳିବେ

    ପ୍ରତିଜ୍ଞା ମୁଁ ଯେ କରିଲି। 

ଅବଳା ଦୁର୍ବଳା ନୁହେଁ ନାରୀଟିଏ 

    ସିଂହବାହିନୀ ସିଏ, 

ନାଭିର ବାସ୍ନାକୁ କସ୍ତୁରୀମୃଗ କି 

    ସହଜରେ ଜାଣିନିଏ। 

ବିନାଶ୍ରୟେ ନ ବର୍ତ୍ତିବ ବନିତା 

    ଭୁଲ ପ୍ରମାଣିତ କଲି, 

ଶକ୍ତି ସ୍ଵରୂପିଣୀ ପ୍ରତି ନାରୀ ଅଟେ 

    ଅନ୍ତର ଆତ୍ମା ଚିହ୍ନିଲି। 

ଏଇତ କାହାଣୀ ଜୀବନ ସଙ୍ଗୀତ 

    ଶୁଣିଗଲ ଯାହା ତୁମେ, 

ଛାଇଆଲୁଅର ଖେଳ ସଂସାରଟା 

    ଘୁରି ହୁଏ ନର ଭ୍ରମେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract