STORYMIRROR

Padmalaya Mishra

Classics Inspirational Others

4  

Padmalaya Mishra

Classics Inspirational Others

କବିତା

କବିତା

1 min
13


ଅକ୍ଷରରୁ ଶବ୍ଦ ଶବ୍ଦରୁ ବାକ୍ଯ

ବାକ୍ୟ ବାକ୍ୟ ଯୋଡି କଥା

ହସ ଲୁହ କେବେ ଦରଦୀ ମନ

ପରଷି ଦିଅଇ ବ୍ୟଥା

ମଞ୍ଜିରୁ ଯେମିତି ବୃକ୍ଷର ସୃଷ୍ଟି

ଲଟେଇ ହୁଅଇ ଲତା

ମନର ଭାବନା ପ୍ରକାଶ ପାଇଁ

କଲମ ଲେଖେ କବିତା ।।


ପ୍ରେମ ପାଇଁ ପଦେ ଲେଖିଲେ କେବେ

ବିରହ ପାଇଁ ବି ଲେଖେ

ସମୁଦ୍ରରୁ ଛାଣି ମୋତି ଆଣିବା

ଭାବନା ସାଇତି ରଖେ

କବିଟିଏ ସେବେ କବିତା ଲେଖେ

ଦିଗ୍ ବଳୟ ପାରି ଦେଖେ ।।


ସମାଜର କଥା ଦର୍ପଣ ପରି

ପ୍ରତିଫଳିତ ଯେ ହୁଏ

ନାରୀ ମନର ଅକୁହା କାହାଣୀ

କେବେ କେବେ ଲେଖି ଦିଏ

ହୃଦୟ ପଞ୍ଜୁରୀ ଖୋଲି ଦିଅଇ

ମନପକ୍ଷୀ ଉଡୁଥାଏ ।।


ଭକ୍ତିର ରସରେ ଭିଜାଇ ମୁନ

ସମର୍ପଣ ଭାବ ବହେ

ଅନ୍ତର ବେଦନା ଭକ୍ତ ଚେତନା

କବିତାରେ ଭରି ରହେ

ଭଗବାନ ଆଉ ହୃଦୟ ମଧ୍ୟେ

ଭକ୍ତିର ଭାବନା କୁହେ ।।


କବିତା ଗୋ ତୁମେ କୋମଳ ଶଯ୍ୟା

ଆରାମରେ ବସି ଯାଏ

କେଜାଣି କାହିଁକି ତୁମ ସ୍ପର୍ଶରେ

ଶିହରିତ ଦେହ ହୁଏ

ଅସଂଖ୍ୟ ଭାବନା ସାଉଁଟି ହୋଇ

ତୁମ ରୂପ ନେଇ ଯାଏ ।।


ମନ ମଧ୍ୟେ କବି ପଣ ରହିଛି

ତୁମେ ଥିବା ଯାଏଁ ସାଥେ

ତୁମେ ମୋର ପ୍ରେମ ତୁମେ ଆନନ୍ଦ

ଏଇ ଜୀବନର ପଥେ

ଆସୁଥିବ ମୋର ଭାବନା ମଧ୍ୟେ

ବସିବି ମୁଁ ମୃତ୍ୟୁ ରଥେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics