କବିତା ନୁହେଁ
କବିତା ନୁହେଁ
ମୋ ହୃଦୟରୁ ଇଡି ଯାଉଥିବା
ଯେତେ ସବୁ ନଈ
ହସ ଓ ଲୁହର
ସୁଖ ଓ ଦୁଃଖର
ପ୍ରୀତି ଓ ପ୍ରତାରଣାର
ସେ ସବୁ କବିତା ନୁହେଁ ।
ଅସରନ୍ତି ପଥରେ
ଥକି ପଡୁଥିବା ପାଦ ହଳକ
ତା ପାଦ ଚିହ୍ନ ଖୋଜିବାର ଆସ୍ପର୍ଦ୍ଧା
ଯେମିତି କରି ପାରେନାହିଁ
ମୋ ହୃଦୟ ବିଦୀର୍ଣ୍ଣ ଲହୁକୁ
ମୁଁ କବିତା ବୋଲି
କା' ଛାତିରେ ଛାପି ପାରେ ନାହିଁ ।
ସୁଖର ମଲାଟ ଭିତରେ
ଅମ୍ଳଜାନ ପାଇଁ ଦହଗଞ୍ଜ
ହେଉଥିବା ତରଳ ଦୁଃଖ
ପାଉଡର୍ ବୋଳା ହସ ସେପଟେ
ଜମାଟ ବାନ୍ଧି ଥିବା ଲୁହ
ଏସବୁକୁ ବୟାନ କରିବା ପାଇଁ
କାଠଗଡ଼ା ତ ଲୋଡା ନାହିଁ
ଯଦି ଲୋଡା ହୁଏ କଲମ
ମୁଁ ତାକୁ କବିତା କହିବି କିପରି ।