କବିତା ହୋଇଲା ନିଶା
କବିତା ହୋଇଲା ନିଶା
ଖିଆଲୀ ମନରେ କେତେଯେ ଭାବନା
ଆସି, ଯାଉଥିଲା ଚାଲି,
ଭାବିତ ନଥିଲି ଭାବକୁ ଭିଣିଲେ
ଭାଷାକୋଷ ଯାଏ ଖୋଲି ! [୧]
ଜୀବନ ଜୀବିକା ଗୋଲକ ଧନ୍ଦାରେ
ନିତି ହେଉଥିଲି ଧନ୍ଦି,
ଭାଷା ଭାବନାର ସୁନ୍ଦର ମେଳକ
ପାଇଗଲି କୋଟିନିଧି । [୨]
ଛନ୍ଦ ଲୟ ବୋଳି ଭାବନାକୁ ଗୋଳି
ଲେଖିଦେଲି ମନକଥା,
ପାଠକଙ୍କ ମନ ଛୁଇଁ ଦେଇ କେତେ
କବିତା କହିଲା କଥା । [୩]
କଳା ବଉଦର କୋଳରୁ ଯେସନେ
ଚମକେ ଚପଳା ରୂପ ,
କରୋନା କାଳର କବଳେ ମୋ ମନୁ
କବିତା ହୋଇଲା ଜାତ । [୪]
ଅର୍ଥନୀତି ଆଉ ପରିସଂଖ୍ୟାନର
ଭାଷା ସିନା ମୋର ପେଶା ,
ତୁମ ସହ ଏକି ମୋହ ଲାଗିଗଲା
କବିତା ହୋଇଲ ନିଶା । [୫]
ଉନ୍ନତ ସାହିତ୍ୟ ପାଠକକୁ ଦିଏ
ସଦାଚାର ସଦଜ୍ଞାନ,
ସଚେତନ ନାଗରିକ ଆଣିଥାଏ
ସମାଜେ ପରିବର୍ତ୍ତନ। [୬]
ଖଣ୍ଡାଧାର ଠାରୁ କଲମ ମୂନଟି
ହୋଇଥାଏ ବଳଶାଳୀ,
ବିନା ରକ୍ତପାତେ ଜନ ମାନସରେ
ସଚେତନା ଥାଏ ତୋଳି । [୭]
ମନ ମୁଁ କରିଛି ଟେକ ରଖିବାକୁ
ଲେଖନୀ ମୂନର ମାନ,
ସାଧ୍ୟମତେ ରଚି ସୁନ୍ଦର କବିତା
ଦେଇଯିବି ଅବଦାନ। [୮]