କବି ଟିଏ ବିନା କବିତା ସପନ
କବି ଟିଏ ବିନା କବିତା ସପନ
ମନେ ଉଠୁ ଥିବା ଉତ୍ତାଳ ତରଙ୍ଗ
ମନର ଭାବ ଭାବନା
ଯିଏ ରୂପ ଦିଏ ଶବ୍ଦର ରୂପରେ
କବି ଟିଏ ସିଏ ସିନା ।
ମନ ଗହନର ଅବ୍ୟକ୍ତ ଭାଷାକୁ
ସୁନ୍ଦର ଶଦ୍ଦେ ସଜାଇ
କାଗଜ ଦେହରେ କଲମ ମୁନରେ
କବିତା ଭେଟି ଦିଅଇ ।
ନିଜ ଠୁ ବାହାରି ଜୀବନକୁ ଖୋଜେ
ଅନୁଭବ ରଙ୍ଗ ଦିଏ
ବ୍ୟକ୍ତି ଠୁ ଗୋଷ୍ଠୀକୁ ଗୋଷ୍ଠୀରୁ ସମାଜ
ସଭିଙ୍କର କଥା କୁହେ ।
ଜୀବନ- ଯନ୍ତ୍ରଣା ହସର ଝରଣା
କଲମ ମୁନରେ ଲେଖେ
ଭାଷା କୋଷରୁ ସେ ଶବ୍ଦ ପୁଞ୍ଜ ଆଣି
କବିତାକୁ ମଣ୍ଡି ଦିଏ ।
ମଣିଷ ସମାଜୁ ପ୍ରକୃତି ପର୍ଯ୍ୟନ୍ତ
ତା ଭାବନା ଖେଳୁ ଥାଏ
ଭାବନାକୁ ଦିଏ କବିତାର ରୂପ
କବି ଟିଏ ବନି ଯାଏ ।
ସମାଜର ପ୍ରତି ବ୍ୟକ୍ତି ବିଶେଷରେ
ନିଜକୁ ହଜାଇ ଦିଏ
ଭାଷାର ଯାଦୁରେ ସମସ୍ୟା ବି କୁହେ
ସମାଧାନ କହି ଦିଏ ।
ଚତୁଃପାର୍ଶ୍ଵେ ଥିବା ଘଟଣା ବଳୀରେ
ନିମଗ୍ନ ସେ ହୋଇଥାଏ
ମାଟିରୁ ଆକାଶ ଜଜରୁ ଜୀବନ
ସମସ୍ତଙ୍କୁ ସଙ୍ଗେ ନିଏ ।
କେବେ ଲେଖିଦିଏ ସଚେତନ ବାର୍ତ୍ତା
ସମାଜର ହିତ ପାଇଁ
କେବେ ସେ ଶିଶୁଙ୍କୁ ଉପହାର ଦିଏ
ସୁନ୍ଦର କବିତା ହୋଇ ।
କେବେ ଭରିଦିଏ ହତାଶା ପ୍ରାଣରେ
ଆଶାର ଆଲୋକ ଶିଖା
କେବେ ଦେଇ ଦିଏ ଦୁର୍ବଳ ମନକୁ
ଧୈର୍ଯ୍ୟର ଅସୀମ ଦୀକ୍ଷା ।
କେବେ ଠିଆ ହୋଇ ବେଳା ଭୂମି ତଟେ
ଜୀବନ ଦର୍ଶନ ଖୋଜେ
କେବେ ଯନ୍ତ୍ରଣାର ଯାତନା ଦୁଆରେ
କରୁଣାର ବାରି ସିଞ୍ଚେ ।
କବିର କଲମ କେବେ ଭରି ଦିଏ
ଆଳସ୍ୟରେ ଉଦ୍ଦାମତା
କେବେ ସେ ଉଠାଏ ବିଦ୍ରୋହର ସ୍ୱର
ବୁଝିବାକୁ ବାସ୍ତବତା ।
ଭାବ ଉଠୁଥାଏ ସଭିଙ୍କ ମନରେ
ରୂପ କି ସଭିଏଁ ଦ୍ୟନ୍ତି
କବି ଟେ ନଥିଲେ କବିତା ସପନ
ଭାବ ମନେ ରହିଯାନ୍ତି ।
କବିଟିଏ ଯଦି ମନର ଭାବକୁ
ରୂପ ଦେଇ ନ ପାରଇ
ଯନ୍ତ୍ରଣାରେ ଦଗ୍ଧ ଜୀବନ ହୁଅଇ
ଜୀବନ ତୁଚ୍ଛ ଲାଗଇ ।
କବିତା ବିହୁନେ ପାଠକ ବିକଳ
କବି ହୁଅଇ ବିକଳ
କବିର କବିତା ଆଦୃତ ହୋଇଲେ
କବି ହୁଅଇ ବିହ୍ଵଳ ।
କବିତା ଆଣଇ ମନରେ ପୁଲକ
ପଥ ପ୍ରଦର୍ଶକ ହୁଏ
କବିତା ନଥିଲେ ଜୀବନ ସାର
ମନ ଖାଲି ଘାଣ୍ଟି ହୁଏ ।
