କାଶତଣ୍ତୀ
କାଶତଣ୍ତୀ
ଧବଳ ଚାମରେ କାଶତଣ୍ତି ଫୁଲ
ବିଂଚଇ ଧରଣୀ ପେନୁ,
ସବୁଜ ଶେଯରେ ଶାଗୁଆ ଶାଢୀରେ
ଧରା ସାଜେ କାମଧେନୁ ॥
ସରଗ ରାଇଜୁ ମର୍ତ୍ତ୍ୟପୁରେ ସତେ
ଶ୍ୱେତପାଟେ ଅପସରା,
ଶିଶିର ବିନ୍ଦୁରେ ଭିଜାଇ ତନୁକୁ
ବାଢଇ ସୈାନ୍ଦର୍ଯ୍ୟ ତୋରା ॥
ଆଦ୍ୟ ଶରତରେ ସୁନୀଳ ଅମ୍ବରେ
ଯେସନେ ଭାସେ ବୋଇତ,
କାଶତଣ୍ତୀ ରାଣୀ ସାଜିଛି ରମଣୀ
ସମୀରେ କରଇ ନୃତ୍ୟ ॥
ଧବଳ ବେଶରେ ଉପମା ବାଢିଛି
ଲାଜେ ମରେ ରୂପାଜହ୍ନ,
ଦିବସ ରଜନୀ ଉଦିଆ ଶୋଭୁଛି
ସତେ ପାରିଜାତ ବନ ॥
ଧବଳ ମୂରତି ସାଜିଛି ଧରତୀ
ଖେଳୁଛି ସେ ରଜ ଦୋଳି,
ସମୀର ସମରେ ଦୋହଲି ଦୋଳିରେ
କରୁଛି ମରତେ କେଳି ॥
ଠାବେଠାବେ ଯେହ୍ନେ ବରଫ ପାହାଡ
ପ୍ରକୃତିକୁ କରି ବଶ,
ଶୋଭା ବିହାୟାସେ ୠତୁ ପରକାଶେ
ସଜାଇଛି ନାଗଫାଶ ॥
ଶ୍ୱେତ ପରିଧାନେ ବସୁନ୍ଧରା ହସେ
ଶକ୍ତିଂକ ସ୍ୱାଗତ ନେଇ,
କାଶତଣ୍ତି ଫୁଲେ ସଜାଇ ଅଗଣା
ବସିଛି ଚାତକ ହୋଇ ॥

