କାନ
କାନ
ସୁନ୍ଦର ସୃଷ୍ଟିର ସୌଷ୍ଠବ ଶରୀରେ
ନଥିଲେ ଦୁଇଟି କାନ
କୋଳାହଳମୟ ସୁନ୍ଦର ବଳୟ
ହୋଇଥାନ୍ତା ଶବ୍ଦହୀନ ।
ସ୍ୱର ସଙ୍ଗୀତର ମଧୁର ମୂର୍ଚ୍ଛନା
କରିବାକୁ ଆସ୍ୱାଦନ
ଶ୍ରବଣ କଥନ ମଧ୍ୟେ ସଂଯୋଜନ
କରିବାକୁ ଲୋଡ଼ା କାନ ।
ଶିକ୍ଷଣ ଶାସ୍ତ୍ରର ପ୍ରଥମ ସୋପାନ
"ଶ୍ରବଣ" ନିମନ୍ତେ କାନ
ବଧିର କି କେବେ ଶିଖି ପାରିଛି କି
କଥା କହିବାର ଜ୍ଞାନ ।
କାନମୋଡ଼ା ଖାଇ ଶିଖିଥିବା ପାଠ
ଭୁଲି ହୁଏ ନାହିଁ ଜମା
କାନ ଧରି ଥରେ ଦୋଷ ମାନି ନେଲେ
ଦଶ ଦୋଷୁଁ ମିଲେ କ୍ଷମା ।
ସୁନା କାନଫୁଲ ସୁନାର କୁଣ୍ଡଳ
ନୁହେଁ କାନର ଭୂଷଣ
କର୍ଣ୍ଣର ଭୂଷଣ ଗୀତା ସୁଧାମୃତ
ପୁରାଣ ଶାସ୍ତ୍ର ଶ୍ରବଣ ।
କାନ ସିନା ଅଟେ ଶରୀରର ଶିରୀ
କାନ ବିନା ଠରାଠରି
ଅଯଥା କଥାକୁ କାନେ ପୂରାଇଲେ
ଜୀବନେ ହୋଇବ ଘାରି ।
