କାଳର ଆହ୍ବାନ
କାଳର ଆହ୍ବାନ
ବିବେକ, ଧୈର୍ଯ୍ୟ ଓ ସହନଶୀଳତାର
ପରୀକ୍ଷା ନେଉଛନ୍ତି ଈଶ୍ୱର, ପ୍ରଭୁ, ଭଗବାନ
ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ପ୍ରତିକୂଳ ଘଡ଼ିରେ
ସମୟ ଭୟ ଦେଖାଇ ମାରୁଛି ବିଛୁଆତିର ଛାଟ
ଯୁଆଡ଼େ ଦେଖିଲେ ଦିଶୁଛି ବନ୍ଦ ହୋଇଛି କବାଟ
ତୁ ଯଦି ଉପାଦାନ ତୁ ହିଁ ସେ ସମସ୍ୟାର ସମାଧାନ,
ଦେଖା ତୋର କେତେ ଅଛି ଶକ୍ତି ଜିଇଁବାର
ଦେଖା ତୋର କେତେ ଅଛି ଶକ୍ତି ଲଢିବାର
ଜାଗ୍ରତ କରି ଆତ୍ମଶକ୍ତି ତୋର, ମାରିଦେ ହାରିବାର ମନ
କାଳର ଆଶଙ୍କା ଦେଖାଇ କାଳ କରୁଛି ତୋତେ ଆହ୍ୱାନ,
ମନର ଭାବନା, ଚିନ୍ତା ଓ ଚେତନା ସ୍ଥାଣୁ ପ୍ରାୟ
ମସ୍ତିଷ୍କରେ କ୍ଷଣେକ୍ଷଣେ ଅନେକ ଦ୍ୱନ୍ଦ ଓ ସଂଶୟ
ବିପରୀତ ଦିଗରେ ବହୁଛି ଜୀବନର ଅସ୍ୱାଭାବିକ ମଳୟ
ସମସ୍ତଙ୍କ ପାଇଁ ସଦିଚ୍ଛା, ଶୁଭେଚ୍ଛା ଏ ମନେ ସଦା
ତଥାପି କାହିଁ ପ୍ରତିଟି ସକାଳ ଦୁଇ ନୟନ ହେଉଛି ଓଦା
ନିଜତ୍ବ ସତେ ନିରୁଦ୍ଧିଷ୍ଟ ନିଜେ ହିଁ ବୋଧେ କାରଣ,
ଦେଖା ତୋର କେତେ ସାହସ ସହିବାପଣର
ଦେଖା ତୋର କେତେ ଶକ୍ତି ଲୁହ ଲୁଚାଇବାର
ପରିସ୍ଥିତିର ଅନ୍ଧାର ଚିରି ତୁ କରିପାରୁ ଆଲୋକର ଜନ୍ମ
ଅନ୍ତଃଶକ୍ତିର ବାହୁରେ କରିଦେ ତୁ କାଳ ଆହ୍ୱାନକୁ ଆଲିଙ୍ଗନ,
ହୃଦୟର ନଦୀ ସାଜିଛି ବିବେକର ପ୍ରତିବାଦୀ
ଜାଣିନି ହୃଦୟ ବିବେକ ସଦାସର୍ବଦା ଅପ୍ରତିଦ୍ଵନ୍ଦୀ
ତଥାପି ଭିତର ମନର ପରିବେଶ ଦିଶେ କାହିଁ ବିଷ
ଜୀବନ ଜିଇଁବାର ଉତ୍ସାହ, ଉଦ୍ଦୀପନା, ଆଗ୍ରହ ହ୍ରାସ
ମନ ଆକାଶରେ ଘନକଳା ବାଦଲ କରିଛି ପ୍ରବେଶ
କରୁଣ ବୁକୁଫଟା ଚିତ୍କାର କରୁଛି ଭିତର ନିଃଶବ୍ଦପଣ,
ଦେଖା ତୋର ଶକ୍ତି କେତେ ବୁଦ୍ଧି ଓ କେତେ ସିଦ୍ଧି ଜ୍ଞାନ
ଦେଖା ତୋର ଶକ୍ତି ସମୟର ସଂଗ୍ରାମରେ କେତେ ସାଧନା
ତୁ ପ୍ରେରଣା ସାଜେ ପ୍ରତୀକ ସାଜେ ତୋର ଆତ୍ମବିଶ୍ବାସରେ
ମୃତ୍ୟୁ ତୋ' ପାଖେ ହାରିଛି ବହୁଥର, ସ୍ଵୀକାରେ କାଳର ଆହ୍ୱାନ।