କାଳୀୟଦଳନ
କାଳୀୟଦଳନ


ଦ୍ବାପର ଯୁଗର କାହାଣୀ ଶୁଣ କୃଷ୍ଣ ଲୀଳାଟି
କାଳୀୟ ର ଦର୍ପ ଦଳନ ଭାବ ଭକ୍ତି କଥାଟି।
ହରିବଂଶ ମହାଭାରତ ଭାଗବତ ଗ୍ରନ୍ଥରେ
କି ସୁନ୍ଦର ଭାବେ ବର୍ଣ୍ଣନ ଏହି ଭକ୍ତି ରସରେ ।
କଦ୍ରୁ କାଶ୍ବପଙ୍କ ତନୟ ଦୁଷ୍ଟ କାଳୀୟ ସେହି
ରମ୍ଯକ ଦ୍ବାପରେ ଥିଲାଟି ସାଥେ ସହସ୍ର ଭାଇ।
ଭାଇ ମାନଙ୍କର ସାଥିଲେ ସେତ କଳହ କଲା
ଗୋପ ପୁର ଯାଇ କାଳିନ୍ଦୀ ହ୍ରଦେ ସେତ ରହିଲା ।
କାଳିନ୍ଦୀ ହ୍ରଦରେ କାଳୀୟ ତାର କାୟା ମେଲାଇ
ଦେଉନଥିଲା ସେ କାହାକୁ ହ୍ରଦ ଜଳେ ପୁରାଇ ।
ପାଦ ରଖୁରଖୁ ଜଳରେ ସର୍ପ ଦଂଶନ ଯୋଗ
ଅକାଳ ରେ ଯାଏ ଜୀବନ କୃର ହୁଅଇ ଭାଗ୍ୟ।
ପଦ୍ମ ଫୁଲେ ଭରା କାଳିନ୍ଦୀ ଶୋଭା କି ମନୋହର
କାଳୀୟ ନାଗ ଯେ ଭରଇ ହ୍ରଦେ ବିଷ ଜହର।
ଡରେ ଗୋପବାସୀ ଯାଆନ୍ତି ନାହିଁ କାଳିନ୍ଦୀ ପାସ
ଯିଏ ପାଦଦିଏ ଜଳରେ ନାଗ ପକାଏ ଫାସ।
ଥରେ ଗୋପ ରାଜ୍ୟ ଉପରେ ଇନ୍ଦ୍ର କୋପ କରିଲେ
ସାତ ଦିନ ସାତ ରାତି ସେ ମେଘ ବରଷା କଲେ ।
ମନ୍ଦର ଗିରି କୁ ଶ୍ରୀକୃଷ୍ଣ ହାତେ ଟେକି ଧରିଲେ
ଇନ୍ଦ୍ର ଙ୍କ କୋପରୁ ଗୋପକୁ ସେତ ରକ୍ଷା କରିଲେ।
ଦେବରାଜ ଇନ୍ଦ୍ର ଗରବ ତହିଁ ଚୁନା ହୋଇଲା
ଜୟ ଜୟ ଜୟ ଶ୍ରୀକୃଷ୍ଣ ଚଉଦିଗ କମ୍ପିଲା ।
ଅପାର କୃଷ୍ଣ ଙ୍କ ମହିମା ଜଗତ ରେ ବ୍ୟାପିଲା
ଶୁଣି କଂସ ରାଜା ଛାତିରେ ଛନକାତ ପସିଲା ।
ଶକଟା ବକଟା ମାରିଲା ନେଲା ପୁତନା ପ୍ରାଣ
ଇନ୍ଦ୍ର ପରି ରାଜା ଗରବ ପୁଣି କଲାଣି ଚୂର୍ଣ୍ଣ।
କଂସ ଯେ ଜାଣିଲା ନିଶ୍ଚୟ କୃଷ୍ଣ ହାତରେ ସେହି
ଅଚିରେ ଲଭିବ ମରଣ ଆଉ ଉପାୟ ନାହଁ ।
ମନ୍ତ୍ରୀ ପରିଷଦ ଡାକିଣ କଂସ ସଭା କରିଲା
କୃଷ୍ଣ ର ନିଧନ ପାଇଁକି ନୂଆ ଉପାୟ କଲା ।
ବିନୟରେ ମହାମନ୍ତ୍ରୀ ଯେ ଆସନରୁ ଉଠିଲେ
କୃଷ୍ଣ ବଧ ପାଇଁ ଉପାୟ ଏକ ତହିଁ କହିଲେ ।
ଡଗର ପଠାଇ ନନ୍ଦ କୁ ଆଦେଶ ଯେ ଦିଅନ୍ତୁ
ଲକ୍ଷେ ପଦ୍ମ ଭାର ମଥୁରା ପୁରେ ଶୀଘ୍ର ଆଣତୁ।
ପଦ୍ମାବତୀ ରାଣୀ କରିବେ ଧନନ୍ତ୍ବରୀ ଓଷାଟି
ଉଛୁର କରିଲେ ଭୋଗିବ ତାର ପରିଣାମଟି।
ଆଶ୍ଚର୍ଯ୍ୟ ହୋଇଲା ମନ୍ତ୍ରୀଙ୍କ କଥା କଂସ ଯେ ଶୁଣି
ପଦ୍ମ ଭାର ଦେଲେ କିଲାଭ ହେବ ବୁଝି ପାରୁନି।
ଏଥିରେ କେମିତି କୃଷ୍ଣ ର କୁହ ହେବ ମରଣ
ପଦ୍ମ ଫୁଲ ସତେ ନେବକି ମୋର ଶତୃ ଜୀବନ?
ମହାମନ୍ତ୍ରୀ ତହୁଁ କଥାଟି କଂସେ ବୁଝାଇ ଦେଲେ
ପଦ୍ମ ଫୁଲ ସହ କୃଷ୍ଣ ର ମୃତ୍ୟୁ ରହସ୍ୟ ଭଲେ ।
ପଦ୍ମ ତୋଳିବାକୁ କାଳିନ୍ଦୀ ହ୍ରଦେ କୃଷ୍ଣ ପଶିବ
କାଳୀୟ ନାଗ ର ଚୋଟରେ ତାର ମୃତ୍ୟୁ ହୋଇବ ।
କଂସର ମନକୁ ମନ୍ତ୍ରୀ ଙ୍କ କଥାଟି ଯେ ପାଇଲା
ଡେରି ନକରି ସେ ଡଗର ଗୋପେ ପ୍ରେରଣ କଲା ।
ନିମିଷେ ଡଗର ଚଳିଲା ନନ୍ଦ ରାଜାଙ୍କ ପାଶ
ଜଣାଇଲା ଯାଇ ନନ୍ଦ ଙ୍କୁ କଂସ ରାଜା ଆଦେଶ ।
ଲକ୍ଷେ ଭାର ପଦ୍ମ କଥାଯେ ଶୁଣି ନନ୍ଦ ରାଜାଟି
ଡରରେ ହୋଇଲା ଛାନିଆ ବୁଦ୍ଧି ଗଲା ହଜିଟି।
କାଳିନ୍ଦୀ ହ୍ରଦରୁ କେବଳ ଏତେ ପଦ୍ମ ମିଳିବ
କାଳୀୟ ନାଗର ପ୍ରକୋପ ତହିଁ କିଏ ପଶିବ ?
ନନ୍ଦ ରାଜାଙ୍କର ଆଖିରୁ ନିଦ ହଜି ଗଲାଟି
ଭଲା ବିହି ବାମ ହୋଇଲା ନନ୍ଦ ଭାବି ହେଲେଟି।
ଛାଡି ଚାଲିଯିବୁ ପଛକେ ଆମେ ଗୋପ ରାଇଜ
ଲକ୍ଷେ ଭାର ପଦ୍ମ ଦେବାଟି ଜମା ନୁହେଁ ସହଜ ।
କଂସ ଷଡ଼ଯନ୍ତ୍ର ସହଜେ କୃଷ୍ଣ ବୁଝିପାରିଲେ
ପିତାଙ୍କର ବ୍ୟଥା ଲାଘବ ପାଇଁ ଉପାୟ କଲେ।
ଭାଇ ବଳରାମ ସାଥିରେ ଗୋପ ବାଳକେ ନେଇ
କାଳିନ୍ଦୀ କୂଳକୁ ସରବେ ତହୁଁ ଚଳିଲେ ସେହି।
ପଦ୍ମ ଫୁଲେ ଭରା କାଳିନ୍ଦୀ ଦିଶେ କି ମନୋହର
ହେଲେ ତା ଜଳରେ ଭରିଛି ନାଗ ବିଷ ଜହର।
ନାଗ ନାଗୁଣୀ ତ ଖେଳନ୍ତି ସେହି ନୀଳ ଜଳରେ
ଛନକା ପସଇ ଛାତିରେ ଦୂରୁ ତାଙ୍କୁ ଦେଖିରେ।
ସାଥୀ ମାନଙ୍କୁ ତ ଶ୍ରୀକୃଷ୍ଣ ହ୍ରଦ କୂଳରେ ଛାଡି
କାଳିନ୍ଦୀ ଜଳରେ ପଶିଲେ ନାଗ ଛାଡ଼ିଲେ ରଡ଼ି।
ଶ୍ରୀକୃଷ୍ଣ ଙ୍କ ମୁଷ୍ଟିଘାତରେ ନାଗ ଚିତ୍କାର କରି
କାଳୀୟ ପାଖକୁ ଯାଇତ ସବୁ କଲେ ଗୁହାରି।
ନାଗ ନାଗୁଣୀ ଙ୍କ ଗୁହାରି ଶୁଣି କାଳୀୟ ନାଗ
ଘୋର ଗରଜନ କରିଲା ମନେ ଭୀଷଣ ରାଗ ।
କିଏ ସେ ସିଏ ରେ କାହାର କୁହ ଏତେ ସାହସ
ଜାଣେ ନାହିଁ ମୋର ପ୍ରତାପ ମୋର ପ୍ରକୋପ ବିଷ।
ଘୋର ରଡ଼ି କରି କାଳୀୟ ଜଳପରେ ଆସିଲା
ପିଲାଟିଏ ପଦ୍ମ ତୋଳୁଛି ଦେଖି ଗର୍ଜନ କଲା ।
ନିର୍ଭୟରେ ପଦ୍ମ ତୋଳୁଛି ଜଳେ ପହଁରି ସେହି
କାଳୀୟ କରୁଛି ଗର୍ଜନ ତାକୁ ଶୁଭୁତ ନାହିଁ।
କୃଷ୍ଣ ଙ୍କ ପାଖକୁ କାଳୀୟ ଗଲା ଦଳ ଆଡେଇ
ଦୁହିଁଙ୍କ ଭିତରେ ହୋଇଲା ତହିଁ ଘୋର ଲଢେଇ।
ଜଳରେ ଉତ୍ତାଳ ତରଙ୍ଗ ପବନରେ କମ୍ପନ
ସତେକି ତ ମାଡି ଆସିଲା ଆହା ଝଡ ତୋଫାନ।
କୃଷ୍ଣ ଙ୍କୁ କାଳୀୟ ନାଗର ବାରଂବାର ଦଂଶନ
ବିଷ ଚଢିଗଲା ଦେହରେ ଚେତା ହାରିଲେ କୃଷ୍ଣ।
ନିରବ ନିସ୍ପନ୍ଦ ହୋଇସେ କୂଳେ ଲାଗିଲେ ଆସି
ଘୋର ଅନ୍ଧକାର ସତେକି ମାଡ଼ି ଆସିଲା ନିଶି।
କୃଷ୍ଣେ ଦେଖି ବଳରାମ ଯେ ଭାରି ଅଥୟ ହେଲେ
ଗୋପାଳ ବାଳକ କୃଷ୍ଣ ଙ୍କୁ ଦେଖି ଝୁରି ହୋଇଲେ।
ନନ୍ଦ ଯଶୋଦା ତ ଜାଣିଲେ ହାରାଇବେ ଜୀବନ
କି ବୁଦ୍ଧି କରିବା କେମିତି ଚେତା ପାଇବେ କୃଷ୍ଣ।
ଭାଇ ବଳରାମ ନପାଇ ଆଉ କିଛି ଉପାୟ
ଗରୁଡ଼ ଙ୍କୁ କଲେ ସ୍ମରଣ ଆସି ହୁଅ ସହାୟ।
ଖଗପତି ଥିଲେ କେଉଁଠି ସେତ ଉଡି ଆସିଲେ
ଶ୍ରୀକୃଷ୍ଣ ଙ୍କ ମୁଖ ଦେଖି ସେ ଭାରି ଅଧୀର ହେଲେ ।
ବଳରାମଙ୍କର ଆଦେଶେ ତହୁଁ ସେ ଖଗେଶ୍ବର
ଅମୃତ ଆଣିବା ପାଇଁକି ଗଲେ ସରଗ ପୁର ।
ଅମୃତ କୁ ଜଗି ଥାଆନ୍ତି ସ୍ବର୍ଗେ ଗନ୍ଧର୍ବ ଦଳେ
ଅମୃତ ପାଇଁକି ଗରୁଡ଼ ତାଙ୍କ ସହ ଲଢିଲେ।
ଗନ୍ଧର୍ବ ଙ୍କ ଠାରୁ ଅମୃତ ଲଡୁ ସେତ ଛଡ଼ାଇ
କାଳିନ୍ଦୀ କୂଳକୁ ଗରୁଡ ପକ୍ଷୀ ଆସିଲେ ଧାଇଁ।
କୃଷ୍ଣ ଙ୍କ ମୁଖରେ ପଡ଼ିବା ମାତ୍ରେ ଅମୃତ ଲଡୁ
ଆଖି ମଳି କୃଷ୍ଣ ଉଠିଲେ ଯେହ୍ନେ ଉଠିଲେ ନିଦୁ ।
ଚେତା ଫେରିପାଇ ଶ୍ରୀକୃଷ୍ଣ ଯେବେ ହୋଇଲେ ସୁସ୍ଥ
ପଦ୍ମ ତୋଳିବାକୁ ହ୍ରଦ ରେ ପୁଣି ପସିଲେ ସେତ ।
ଘୋର ରଡ଼ି କରି କାଳୀୟ ନାଗ ଆସିଲା ମାଡି
ଫଣାପରେ ତାର ଶ୍ରୀକୃଷ୍ଣ ଗଲେ ସହଜେ ଚଢି ।
କାଳୀ ନାଗ ଫଣା ଉପରେ କୃଷ୍ଣ ନୃତ୍ୟ କରିଲେ
ଦେବଗଣ ସ୍ବର୍ଗ ରାଇଜୁ ପୁଷ୍ପ ବରଷା କଲେ।
କୃଷ୍ଣ ଙ୍କ ଶରୀର ଭାରକୁ ନାଗ ନପାରି ସହି
ପ୍ରାଣ ତାର ଗଲା ଜାଣିଲା ଆଉ ବଞ୍ଚିବ ନାହିଁ।
ସ୍ବୟଂ ନାରାୟଣ ଶ୍ରୀକୃଷ୍ଣ ସେତ ବୁଝି ପାରିଲା
କଲା କର୍ମ ପାଇଁ କାଳୀୟ ଅନୁତାପ କରିଲା ।
ନିଜ ଦୋଷ ପାଇଁ ପ୍ରଭୁଙ୍କୁ ସେତ କ୍ଷମା ମାଗିଲା
ଉଦ୍ଧାର ପାଇଁକି ବିକଳେ ପ୍ରାର୍ଥନା ସେ କରିଲା।
ସୁଗ୍ରୀବଙ୍କୁ ତୁମେ ପ୍ରଭୁହେ ଦେଇଥିଲ ଶରଣ
ବାଳିବଧ କରି ତାହାକୁ ରାଜା କଲ ଆପଣ ।
ବିଭିଷଣେ ଦେଇ ଶରଣ କଲ ଲଙ୍କା ନରେଶ
ଦୁଃଖୀ ଦୁଃଖ ଦୂରକର ହେ ଢାଳି ତୁମ ଆଶିଷ ।
ଭବ ଯାତନା ରୁ ମୁକତି ମିଳେ କରିଲେ ଦୟା
ଦାଉ ଧକ୍କା ଯାଏ ଦୂରେଇ ପ୍ରଭୁ ହୋଇଲେ ସାହା।
ମୁହିଁ ଯେ ନିମିତ୍ତ ଅଜ୍ଞାନ କରିଅଛି ମୁଁ ଦୋଷ
ତୁମ ବଡପଣେ କ୍ଷମିବ ପ୍ରଭୁ ହେ ଜଗଦୀଶ।
କାଳୀୟ ର ରାଣୀ ମାନେ ଯେ ଶତଶତ ନାଗୁଣୀ
ସ୍ବାମୀ ପ୍ରାଣ ରକ୍ଷା ପାଇଁକି ଆସି କଲେ ଦଇନୀ।
ନାଗ ନାଗୁଣୀ ଙ୍କ ପ୍ରାର୍ଥନା ଶୁଣି ସେ ଦୁଃଖ ହାରୀ
କାଳୀୟ କୁ କ୍ଷମା କରିଲେ ଦର୍ପ ଦଳନ କରି ।
କାଳୀୟ ର ଫଣା ଉପରୁ କୃଷ୍ଣ ଓହ୍ଲାଇ ଗଲେ
ଫଣାରେ କଠଉ ଚିହ୍ନକୁ ସେତ ଛାଡ଼ି ଯେ ଗଲେ।
ସେହି ଦିନୁ ନାଗ ମାନଙ୍କ ଫଣା କରେ ମଣ୍ଡନ
ପ୍ରଭୁଙ୍କର ସେହି ପବିତ୍ର ଦିବ୍ୟ କଠଉ ଚିହ୍ନ।
କାଳୀୟ ନାଗକୁ ଶ୍ରୀକୃଷ୍ଣ ତହିଁ କ୍ଷମା କରିଣ
କହିଲେ କାଳିନ୍ଦୀ ହ୍ରଦକୁ ତ୍ଯାଗ କର ତକ୍ଷଣ।
ରମ୍ଯକ ଦ୍ବୀପ କୁ ସହସା ତୁମେ ଯାଅ ପଳାଇ
ଭାଇ ମାନଙ୍କର ସହିତ ରୁହ ସେଠାରେ ଯାଇ ।
କୃଷ୍ଣଙ୍କ ଆଦେଶେ କାଳୀୟ କାଳିନ୍ଦୀ କୁ ତେଜିଲା
କାଳୀୟର ଦର୍ପ ଦଳନ ବିଶ୍ବେ କ୍ଷାତ ହୋଇଲା।
ନାଗ ଭୟ ଆଉ କାଳିନ୍ଦୀ ହ୍ରଦେ ରହିଲା ନାହିଁ
ଆନନ୍ଦ ରେ ଜଳ ପିଇଲେ ଗୋରୁ ଗାଈ ଯେ ଯାଇ ।
ଭାଦ୍ରବ ମାସର କୃ'ଷ୍ଣ ଏକାଦଶୀ ତିଥିରେ
କାଳୀୟ ଦଳନ ଲୀଳା ଯେ ହୁଏ ଶ୍ରୀ'କ୍ଷେତ୍ରରେ।
କାଳୀୟ ଦଳନ ବେଶଯେ ମହାପ୍ରଭୁ ହୁଅନ୍ତି
କାଳୀ ନାଗ ବିଷ ଜ୍ବଳାକୁ ପ୍ରଭୁ ମନେ ପକାନ୍ତି।
ମଧ୍ୟାହ୍ନ ଧୂପଯେ ସେଦିନ ଯେବେ ଶେଷ ହୁଅନ୍ତି
କାଳୀୟ ଦଳନ ଲୀଳା ଯେ ତହିଁ ଆରମ୍ଭି ଥାନ୍ତି।
ରତ୍ନସିଂହାସନେ ଦକ୍ଷିଣ ଘରୁ ଶ୍ରୀ ରାମକୃଷ୍ଣ
ବିଜେ କରିଥାନ୍ତି ସାଥିରେ ଶ୍ରୀ ମଦନମୋହନ।
ମହାପ୍ରଭୁଙ୍କର ଅଙ୍ଗରୁ ଆଜ୍ଞାମାଳ ଆସନ୍ତି
ତିନି ଯାତ୍ରା ଦିଅଁ ମାନଙ୍କୁ ମାଳ ଲାଗି ହୁଅନ୍ତି।
ମହାଜନ ମାନେ ଦିଅଁ ଙ୍କୁ ପାଲିଙ୍କି ରେ ବସାନ୍ତି
ବିମାନ ବଡୁଏ ପାଲିଙ୍କି ତହୁଁ ବୋହି ନିଅନ୍ତି।
ପାଲିଙ୍କି ମନ୍ଦିର ବେଢାକୁ ପରିକ୍ରମା କରନ୍ତି
ଲବଣୀ ଖିଆ ମଣ୍ଡପକୁ ସେତ ବିଜେ ହୁଅନ୍ତି।
ମହାଭୋଇ ଘର ବୋହୁ ଯେ ବନ୍ଦାପନା କରନ୍ତି
ଶର ଲବଣୀ ତ ଦିଅଁ ଙ୍କୁ ତହିଁ ଲାଗି ହୁଅନ୍ତି।
ଖାଇସାରି ଶର ଲବଣୀ ଦିଅଁ ମାନେ ଚଳନ୍ତି
ମାର୍କଣ୍ଡେୟ ପୁଷ୍କରଣୀର କୂଳେ ପହଞ୍ଚି ଥାନ୍ତି।
ମାର୍କଣ୍ଡେୟ ପୁଷ୍କରଣୀ ଯେ ହୁଏ କାଳିନ୍ଦୀ ସେତ
କାଳୀୟ ଦଳନ ଲୀଳା ତ ତହିଁ ହୁଏ ପ୍ରକଟ।
ସାଉଟି ସୁବୁଦ୍ଧି ସେବକ କୃଷ୍ଣ ବେଶ ହୁଅନ୍ତି
କନାରେ ତିଆରି କାଳୀୟ ତାଙ୍କୁ ଦଂଶିଯେ ଥାନ୍ତି।
ଗରୁଡ଼ ସେବକ ଗରୁଡ଼ ବେଶେ ଅମୃତ ଆଣି
ଦିଅନ୍ତେ ମୂର୍ଚ୍ଛିତ କୃଷ୍ଣ ଯେ ଚେତା ପାଆନ୍ତି ପୁଣି ।
ଲୀଳା ଶେଷ ପରେ ଶୀତଳ ଭୋଗ ଲାଗି ହୁଅନ୍ତି
ତହୁଁ ଦିଅଁଙ୍କର ପାଲିଙ୍କି ଶ୍ରୀମନ୍ଦିରେ ଫେରନ୍ତି।
ଶ୍ରୀ ଜୟ ବିଜୟ ଦ୍ବାରରେ ଦିଅଁ ମାନେ ବସନ୍ତି
ଏକାଦଶୀ ଭୋଗ ପରେ ସେ ଦକ୍ଷିଣ ଘରେ ଯାନ୍ତି।
ଦିଅଁଙ୍କ ବାହୁଡ଼ା ସରିଲେ ରତ୍ନ ବେଦୀ ଉପରେ
କାଳୀୟ ଦଳନ ବେଶ ଯେ ହୋଇଥାନ୍ତି ଠାକୁରେ।
ଜଗନ୍ନାଥ ବଳଭଦ୍ର ଯେ ନଳୀଭୂଜ ନାଆନ୍ତି
ସପ୍ତଫେଣୀ ନାଗ ପଦରେ ତାଙ୍କ ଲୋଟି ଯେ ଥାନ୍ତି।
ବଳଭଦ୍ର ଙ୍କର ହାତରେ ଥାଏ ଅମୃତ ଲଡୁ
ଜଗନ୍ନାଥ ଧରିଥାନ୍ତି ଯେ ନାଗ ଲାଞ୍ଜ ଗୋଟିକୁ।
କାଠ ଗଢା ଗୋରୁ ଗାଈ ଯେ ପାଖେ ଚରୁତ ଥାନ୍ତି
ଏ ରୂପ ଦର୍ଶନ କରିଣ ଭକ୍ତେ ଧନ୍ୟ ହୁଅନ୍ତି।
ଭକ୍ତିରେ କାଳୀୟଦଳନ ବେଶ କଲେ ଦର୍ଶନ
ସର୍ପ ଦଂଶନ ର ଭୟ ଟି ଦୂର ହୁଅଇ ଜାଣ।
କାଳ ସର୍ପ ଦୋଷ ଥିଲେ ଟି ଦୋଷ ଯାଏ ଦୂରେଇ
ଜୟ ଜୟ ଜଗନ୍ନାଥ ହେ ଜୟ ଜଗତ ସାଇଁ।