କାଳ ବୈଶାଖୀ
କାଳ ବୈଶାଖୀ
କାଳବୈଶାଖୀ ମାଡ଼ି ଆସୁଅଛି
ଶୋଇ ଯା' ମୁନୁ ଶୋଇ ଯା'
ପବନ ଗର୍ଜୁଛି ସୁ ସୁୂ ନାଦେ
ବିଜୁଳି ଚମକେ ଥରାଏ ହିଆ।
ଆକାଶରୁ ପରା ଖସି ପଡ଼ୁଅଛି
ମୂଷଳ ବରଷା ଧାର
ମହୋଦଧି ଜଳ ଲଂଘିଲାଣି କୂଳ
ଶୋଇ ଯା' ରେ ଧନ ମୋର।
ବିଶାଳ ବିଶାଳ ଦ୍ରୁମ ଭାଙ୍ଗି ପଡେ
ରୋକିଲାଣି ରାସ୍ତା ଘାଟ
ମେଘ ରାଇଜରେ ଡମ୍ବରୁ ବାଜୁଛି
ଚିହ୍ନିଲେଣି ଥାଟ ବାଟ।
ଏ ଘୋର କାଳରେ ଏକମାତ୍ର ସାହା
ପ୍ରଭୁ କାଳିଆ ସାଆନ୍ତ
କଳୁଷ ନାଶିବେ ବାନା ଉଡ଼ାଇବେ
ପାପୀ ହେବେ ହନ୍ତସନ୍ତ।
ନହେଉ ତୁମର କଳ୍କୀ ଅବତାର
ଥାଅ ସଦା ନୀଳାଚଳେ
କଳିଯୁଗ କରି ଯନ୍ତ୍ରଣାରୁ ମୁକ୍ତ
ଅବେଳ ହଟିବ ବଳେ।