କାଲି ଓ ଆଜି
କାଲି ଓ ଆଜି
ଜୀବନ ମରଣ ଦୋଛକିରେ ଆଜି ମଣିଷ ହୋଇଛି ଠିଆ,
ମୃତ୍ୟୁର ଦେଖି ତାଣ୍ଡବ ଲୀଳା ଥରିଉଠେ ତାର ହିଆ |
ରାତି ନ ପାହୁଣୁ ଗଣମାଧ୍ୟମ ସଂଖ୍ୟାର ଅଙ୍କ କଷେ ,
କେତେ ଲୋକ ମଲେ ରାଜ୍ୟ ଓ ଦେଶରେ କେତେ ପୁଣି ମଲେ ବିଶ୍ୱେ |
ବିଜ୍ଞାନ ବଳେ ମଣିଷ ନିଜକୁ ବଡ ଭାବୁଥିଲା କାଲି,
ଗୋଟିଏ ରୋଗକୁ ଔଷଧ ନାହିଁ ହାତ ଆଜି ତାର ଖାଲି |
ରୋଗ ଭୟେ ଆଜି ମଣିଷ ସମାଜ ରହିଛି ଦୁଆର କିଳି,
ରୋଗ କିନ୍ତୁ ତାର ତାଣ୍ଡବ ରଚେ ଦେଶରୁ ଦେଶକୁ ବୁଲି |
ବିଜ୍ଞାନ ଆଜି ଆଶ୍ରା ଖୋଜୁଛି ପ୍ରକୃତି କାନି ତଳେ,
ମଣିଷ ଏଠାରେ କେତେ ଅସହାୟ ନିଜେ ନିଜେ ଏବେ ଭାଳେ |
ମଣିଷ ଶବକୁ କଫିନଟିଏ ବି ନିଅଣ୍ଟ ପଡୁଛି ଏଠି,
ସାଗରରେ ନେଇ ଶବକୁ ଫିଙ୍ଗୁଛି ସତେ ଅବା ପୋକମାଛି |
ଜଣଙ୍କର ନୁହେଁ,ରାଜ୍ୟର ନୁହେଁ,ଦେଶର ନୁହେଁ ଏ ଦୁଃଖ,
ସାରା ବିଶ୍ୱକୁ କରୋନା ଆଜି ତ କରିଅଛି କବଳିତ |
ମତ୍ୟୁ ଦେଖୁନି ବୟସ ଏଠାରେ ଧନୀ କି ଗରୀବ କିଛି,
ନାହିଁ ତାର ପାଖେ ଜାତି ଧର୍ମର ବାଛ କି ବିଚାର ନୀତି |
କାଲି ଭାବୁଥିଲୁ ବିଜ୍ଞାନ ବଳେ ମଣିଷ ହିଁ ସର୍ବଶ୍ରେଷ୍ଠ,
ହେଲେ ଆଜି ଭାବୁ ପ୍ରକୃତି ପାଖେ ହୋଇଛି ସେ ପରାହତ |