କାକର ବୁନ୍ଦା
କାକର ବୁନ୍ଦା
ପ୍ରଭାତର ପହିଲି କିରଣରେ ଚିକ ଚିକ କରୁଥିଲି
ସୂର୍ଯ୍ୟଙ୍କ ଯୋଗ୍ୟତାକୁ ବି ପ୍ରତିବିମ୍ବିତ କରୁଥିଲି ମୋ ସର୍ବାଙ୍ଗରେ
ଘାସ ତଥା ନବ ପଲ୍ଲବ ଉପରେ ଖୋଜି ବୋଲେ ସ୍ଥାୟୀ ଅସ୍ତିତ୍ୱକୁ
ଆକାଶର ନୀଳିମାକୁ ଚାହିଁ ବାରମ୍ବାର ପ୍ରଶ୍ନକରେ
ସବୁଜିମା ଭରା ପ୍ରକୃତି ବି ମୁହଁ ଫେରେଇ ନିଏ ମୋ ଠାରୁ
ସନ୍ଧ୍ୟା ଆସେ ଆଉ ତା ସହ ଆମନ୍ତ୍ରଣ କରେ ଅନ୍ଧକାରକୁ
ମୁଁ ସେହିଁ ନିରବତା ଭିତରେ ସମସ୍ତଙ୍କୁ ଅନାଇ ରୁହେ ମୋ ନିରୀହ ଆଖିରେ
କେବଳ ବେସାହାରା ପ୍ରାଣକୁ ଧରି ନିରବ ନିସ୍ତେଜ ହୋଇ ପଡ଼ିରହେ କେଉଁ ସାହାରା ଉପରେ
ଝିଙ୍କାରିର ସ୍ୱର ପୁଣି ବୃକ୍ଷ ଲତାର ସୁ ସୁ ଶବ୍ଦ
ମୋ ନିରବତାକୁ ଭାଙ୍ଗିବାକୁ ଚେଷ୍ଟା କରେ ବାରମ୍ବାର ବାରମ୍ବାର
ମାତ୍ର ମୁଁ ତ ପ୍ରତୀକ୍ଷାରତ ଥାଏ ପୁଣି ସକାଳ ପାଇଁ
କାଳେ ଯଦି କିଏ ଉତ୍ତର ଦେଇଯିବ ମତେ
କିନ୍ତୁ ସେଇ ନିରବତାକୁ ଜାବୁଡି ଧରି ବିଦାୟ ନିଏ ଏଇ ସଂସାରରୁ
କାରଣ ସ୍ୱଳ୍ପସ୍ଥାୟୀ ହେବା ତ ମୋର ପ୍ରାରବ୍ଧରେ ଲେଖା |