ରଜନୀ ପାହିଛି
ରଜନୀ ପାହିଛି
ରଜନୀ ପାହିଛି ଏବେ ହୋଇଛି ପ୍ରଭାତ
ପୂର୍ବ ଆକାଶେ ଅରୁଣ ଆଭା ପ୍ରକଟିତ l
ଲୁଚିଲେଣି ଆକାଶରୁ ତାରା ଗୋଟିଗୋଟି
ଡାମରା ଡାକରା ବୁଲେ କାଆକାଆ ରଟି l
ଦେବାଳୟୁ ଭାସିଆସେ ପ୍ରଭାତୀକୀର୍ତ୍ତନ
ପୁଷ୍ପ ଚୁମି ବହିଲାଣି ମନ୍ଦ ସମୀରଣ l
ପଦ୍ମବନେ ବୁଲିଲେଣି ମାଳ ମାଳ ଅଳି
କଜ୍ଵଳ ପତ୍ରୀର ଶୁଭେ ମଧୁର କାକଳି l
କୁକ୍କୁଟ ଡାକନ୍ତି ଆହେ ପ୍ରଭୁ ଚକ୍ରଧାରୀ
ହୀନ ପକ୍ଷୀଜନମରୁ ବେଗେ କର ପାରି l
ବଂଶକୁଞ୍ଜେ ବେଦଧ୍ୱନୀ କରେ କୁମ୍ଭାଟୁଆ
ମାଆ ମାଆ ଡାକିଲେଣି କୁନି କୁନି ଛୁଆ l
ପୂର୍ବ ଦିଗବଳୟେ ଉଦେ କଶ୍ୟପଙ୍କ ସୁତ
ଭକ୍ତି ଭରେ ଯୋଡ଼ ହସ୍ତେ କର ଦଣ୍ଡବତ l
ସକଳ ଶକ୍ତି ଆଧାର ହେ ସୃଷ୍ଟି କାରଣ
ନମସ୍ତେ ଦେବ ଭାସ୍କର ସୂର୍ଯ୍ୟନାରାୟଣ l
ତଵ ଆଲୋକରେ କର ହୃଦ ମୋ ପ୍ରକାଶ
ବସ ମୋ ହୃଦୟେ ଛାୟାକାନ୍ତ ଜଗଦୀଶ l
ପ୍ରଭାତ ପ୍ରଣତି କରେ ସୂର୍ଯ୍ୟ ନମସ୍କାର
ନମସ୍ତେ ନମସ୍ତେ ବିଶ୍ୱ ଚକ୍ଷୁ ଦିବାକର l