ଚାଲ ଯିବା କ୍ଷେତ ଆଡେ
ଚାଲ ଯିବା କ୍ଷେତ ଆଡେ
କୃଷି ଓ କୃଷକ
ଆଃ କି ସୁନ୍ଦର ନାମ ଯୋଡିଏ
ଯାହା ପାଖରେ ରାଜା ପ୍ରଜା ସଭିଏଁ ଋଣୀ
ହେଲେ କେଜାଣି କାହିଁକି ?
କାଳର କରାଳ ଗତି ଅବା
ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ର ମୋହରେ
ସବୁଜ କ୍ଷେତର ସେ ମନଲୋଭା ଛବି ।
ଆଜି ଧୀରେ ଧୀରେ ବିଲୁପ୍ତ ପ୍ରାୟ.
ମାଳମାଳ ବିରାଟ ଅଟ୍ଟାଳିକା ଆଉ କଳକାରଖାନା ଦଣ୍ଡାୟମାନ ହୋଇଛି ।
ଆଦ୍ୟ ଆଷାଢ଼ର କାଦୁଅ ମାଟି ବାସୁନାହିଁ
ଶ୍ରାବଣର ଧାରା ଝରୁନାହିଁ.
କୃଷି ପାଇଁ କୃଷକଙ୍କ ମେଳିନାହିଁ
ହଳିଆ ଭାଇର ଗୀତ ଶୁଭୁନାହିଁ.
ତାଳବଣ ନାହିଁ ।
ଯିଏ କି ବଜ୍ରପାତକୁ ଅଟକାଇବ
ଶାଗ, ବଡ଼ିଚୁରା, ପଖାଳ ନାହିଁ
ଯିଏ ରୋଗକୁ ପ୍ରତିରୋଧ କରିବ
ଯୋଚା ଯାଇଥିବା ବଳଦର ଶୋଭା ନାହିଁ ।
ବଳଦ ବେକର ଘଣ୍ଟି ଶବ୍ଦ ଶୁଭୁନାହିଁ
ଜୁଆଳି, ଲଙ୍ଗକ, ମହି, ପଖିଆ
ବଛା, ବିହୁଡା, ତଳିରୁଆର ସୌନ୍ଦର୍ଯ୍ୟ
କ୍ଷେତରେ ବି ଆଉ ଦିଶୁନାହିଁ ।
କୃଷକ ଭାଇର ସର୍ବାଙ୍ଗ ଶରୀର
ପାଣିକାଦୁଅରେ ଭିଜୁନାହିଁ
ଧାନ ବିରି ମୁଗ ପନିପରିବାରେ.
ମାଳ ମାଳ କ୍ଷେତ ହସୁନାହିଁ ।
ପ୍ରାଚୁର୍ଯ୍ୟ, ବିଳାସପୂର୍ଣ୍ଣ ଜୀବନ ମୋହରେ ରୋଗ, ଶୋକ, ଦୁଃଖରେ ଜର୍ଜରିତ ହୋଇ
ମୃତ୍ୟୁ ପାଖରେ ପଇସାର ମୂଲ୍ୟ କିଛି ନାହିଁ ।
ଏ କଥାକୁ ହୃଦୟଙ୍ଗମ କରିସାରିଛୁ
ଆଖିର ଲୁହକୁ ଲୁଚାଇ ପୋଛୁଛୁ
କିଛି ବିନାଶ ହେଲେ ବିକାଶ ହେବ
ଏକଥା ସତ୍ୟ
କିନ୍ତୁ ବିକାଶର ଦ୍ୱାହିଦେଇ କେବଳ
ବିନାଶ ଆଡକୁ ଗତି କରୁଛୁ ।
ତଥାପି ଏତେ ସବୁ ପରେ ବି
ପେଟକୁ ମୁଠିଏ ଆହାରର ମୂଲ୍ୟ କେତେ
ସେ କଥାକୁ ହୃଦୟଙ୍ଗମକରି ।
ଯେଉଁ କେତେଜଣ ମହାନ ଆଉ ପୂଜ୍ୟ
କୃଷକ ଭାଇ
ଖରା, ବର୍ଷା, ଶୀତକାକରକୁ ଖାତିର ନକରି
ଅତ୍ୟାଧୁନିକ ପ୍ରଣାଳୀରେ ହେଉପଛେ
କୃଷିକୁ ବଞ୍ଚାଇ ରଖି ।
ଆମକୁ ମୁଠିଏ ଆହାର ଯୋଗାଉଛନ୍ତି
ସେମାନଙ୍କୁ ସତ କୋଟି ପ୍ରଣାମ
ସ୍ନେହ ସମ୍ମାନ ଜଣାଇ
ଫେରିଯିବା ପୁଣି ଗାଁକୁ
ଚାଲ ଯିବା କ୍ଷେତ ଆଡକୁ
ଚାଲ ଯିବା କ୍ଷେତ ଆଡକୁ ।
