କଳ୍ପବଟ ମୂଳେ
କଳ୍ପବଟ ମୂଳେ
ହୃଦୟକୁ କରିଅଛି କଳ୍ପବଟ
ତା ମୂଳେ ରଖିଛି ମନ
ସେ ବଟରେ ବିଜେ ସ୍ୱୟଂ ନାରାୟଣ
ସିଏ ହିଁ ମୋର ପରାଣ
ମାଗିନାହିଁ ଦିନେ କିଛି ବି ତାହାଙ୍କୁ
ବାନ୍ଧିନି କେବେ ବି ଡୋରି
ମନସ୍କାମ ସବୁ ପୂର୍ଣ୍ଣ କରିଦେଇ
ରଖିଛନ୍ତି ମୋତେ ଧରି
ଚନ୍ଦନ କସ୍ତୁରୀ ଦେଇ ପୂଜୁନାହିଁ
କରପତ୍ର ଖାଲି ଯୋଡେ
ଭାବର ଦୀପାଳି ଜାଳି ଏ ଅଧମ
ଭକ୍ତିର ଅର୍ଘ୍ୟ ବାଢେ
ମୋର ପତି ପୁତ୍ର କନ୍ୟା ଏ ଅଧମ
ନେଇଅଛୁ ବଟମୂଳେ ଆଶ୍ରା
ରଖିଲେ ରଖିବେ ମାରିଲେ ମ
ାରିବେ
ସିଏ ବିଶ୍ୱାସ ପୁଣି ସାହାରା
ପୂର୍ଣ୍ଣ ଭାବେ ତାଙ୍କୁ ଭରସା କରିଛି
ନେବେ ପାପ ତାପ ହରି
ସାଥେ ରହି ଦେବେ ଆମରି ଜୀବନେ
ଶାନ୍ତିର ମୋଦକ ଭରି
ଆସୁ ଯେତେ ଦୁଃଖ ଆସୁ ବି ପ୍ରଳୟ
ପାଖେ ଛିଡା ହେଉଥିବେ
ସାହସ ଶକତି ଦୃଢ଼ କରିବାକୁ
ଆଶୀଷ ସେ ଦେଉଥିବେ
କଳ୍ପବଟଙ୍କୁ ମୋ ଏତିକି ମୀନତି
ଛାଇ ଟିକେ ଦେଉଥିବ
ପରମାୟୁ ମୋର ପୁରିଯିବ ଯେବେ
ମୁକ୍ତି ପଥେ ପଠାଇବ
ମୁକ୍ତି ପଥେ ପଠାଇବ