ବିଶ୍ୱାସେ ମିଳନ୍ତି ହରି
ବିଶ୍ୱାସେ ମିଳନ୍ତି ହରି
ଅଖଣ୍ଡ ବିଶ୍ୱାସେ ଥାଆନ୍ତି ଠାକୁରେ
ହୃଦୟରେ ବାନ୍ଧିଥାଅ,
ଜୀବନ ସଉଦା ସହଜେ ସରିବ
ଭକତିରେ ପୂଜୁଥାଅ ।
ଅବିଶ୍ୱାସରେ ତ ପ୍ରୀତି ଆସେନାହିଁ
କେମିତି ଶୁଣିବେ ପ୍ରଭୁ,
ସମରପି ଦିଅ ନିଜକୁ ନିର୍ଭୟେ
ତାଙ୍କ କଥା ଭାବୁ ଭାବୁ ।
ଜଗନ୍ନାଥ ପରା ଜଗତ ଠାକୁର
କରୁଣାର ପାରାବାର,
ବିପଦ ବେଳରେ ସାହାଯ୍ୟର ହାତ
ବଢ଼ାନ୍ତି ସେ ନିରନ୍ତର ।
ଅନୁଭୂତି ମୋର ସିଏ ତ ନିଜର
ତାଙ୍କ ପରା ବନ୍ଧୁ ନାହିଁ,
ତାଙ୍କ ପାଇଁ ମନେ ସାହସ ଆସଇ
ବିପଦର ସାମ୍ନା ପାଇଁ ।
କରେ ନିବେଦନ ତୁମେ ମୋ ଭରସା
ତୁମ ଇଛା ପୂର୍ଣ୍ଣ ହେଉ,
ନୀଳଚକ୍ରପରେ ପତିତପାବନ
ବାନା ସଦା ଉଡୁଥାଉ ।
ଅମୃତ ଭରା ସେ ନାମକୁ ତାଙ୍କର
ଡାକେ ପ୍ରଭୁ ଜଗନ୍ନାଥ,
ଆଖିବୁଜି ତାଙ୍କୁ ଦେଖିନିଏ ଥରେ
ମନ ହୋଇଯାଏ ପ୍ରୀତ ।
ଭାବନା ମୋହର ବିଶ୍ୱାସରେ ସ୍ଥିତ
ଜଗନ୍ନାଥ ସର୍ବବ୍ୟାପ୍ତ,
ଅନ୍ତର୍ଯ୍ୟାମୀ ହରି ଜାଣୁଛନ୍ତି ସବୁ
ମେଣ୍ଟାଇବେ ମନସାଦ ।
ନିଜ ପିତା ମାତା ଭାଇ ବା ଭଗିନୀ
ହୁଏ ତ ହୋଇବେ ପର,
ପ୍ରଭୁ ଜଗନ୍ନାଥ ମରଣ ପର୍ଯ୍ୟନ୍ତ
ରହିବେ ହୋଇ ନିଜର ।