ସୁଲଗ୍ନା
ସୁଲଗ୍ନା
ଗୋଧୂଳିର ଏଇ ଧୂଳିଉଡା ଲଗ୍ନରେ
ଯେବେ ସଞ୍ଜ ନଇଁ ଆସୁଛି
ତୋର ମୋର ,ମନଛୁଆଁ
କିଛି ଲେଖା କାଗଜ କାଳିର
ରଙ୍ଗ,ବେରଙ୍ଗୀ ଫୁଲରେ ସଜବାଜ
ଚିନାମାଟି ଫୁଲଦାନିଟିର
ଆଜି ବି ସତେଜ ଅଛି
ମଉଳି ନାହିଁ କିଛି
ଆଜି କାହିଁ ପଚାରୁଛୁ
ମୁଁ କେମିତି ଅଛି
ବାସ୍ ଶୁଣ ତେବେ ତୁ ଯେମିତି ରଖିଛୁ
ମୁଁ ଠିକ୍ ସେମିତି ହିଁ ଅଛି ।
ହଁ, ସମୟ ସହିତ ତାଳଦେଇ
କିଛି ବଦଳିବା ଶିଖିଛି ।
ମୋ ତତଲା ଲୁହର ଦାଗ
ମୋ ଛାତିଥରା ଦୀର୍ଘଶ୍ବାସ
କେବେଠାରୁ ମିଳେଇ ଯାଇଛି ,
ମୋ ତୃପ୍ତିର ଆହ୍ଲାଦ ,
ମୋ ଅତୃପ୍ତିର ଅବସାଦ ,
ସବୁତ ତୋ ଇଙ୍ଗିତରେ ଚାଲିଛି ।
ନଥିଲା ଗଛର ଛାଇ ଖୋଜିବି କାହିଁକି ଯେ
ବଂର , ଅପେକ୍ଷାର ଋତୁଟିକୁ ଚାହିଁ ବସିଛି
କେଉଁ ଶବ୍ଦରେ ବୁଝେଇବି ତତେ
ତୋ ପାଇଁ ଶବ୍ଦଟିଏ ଖୋଜି ଖୋଜି
ଆଜି ମୁଁ ନିଶବ୍ଦରେ ହଜିଯାଉଛି
ଆଉ ଯେବେ ତୁ ବେଶି ମନେପଡୁ
ଖାସ୍ ଏକ ଆବେଗର ଝରଣାରେ
ଶୀତଳ ଝରାର ଅନୁଭବ ହେଉଛି
ତୋ ମୁରୁକି ହସରେ ,ଆପେଆପେ
ମୋ ଖାଲିପଣ ସବୁ ଭରିଯାଉଛି
ଭଲପାଇବାର ଭାଷା ବୁଝି ବି ଅବୁଝା ତୁ
ଏକାନ୍ତରେ ନିରବି ଯାଉଛି
ମୋ ରାଗ,ରୁଷା ଅଭିମାନ
ସାତତାଳ ଅତଳରେ ଫିଙ୍ଗିଦେଉଛି
ମୋ ସ୍ନେହ, ଶ୍ରଦ୍ଧା ପବିତ୍ରତା
ତୋ ପାଇଁ ମୋ ଆତ୍ମୀୟତା
ପାଦତଳେ ତୋର ଓଜାଡିଦେଉଛି ।