ସ୍ମୃତିର ସୁରଭି
ସ୍ମୃତିର ସୁରଭି
ଆଜି ସମୟର ବୁକୁଚିରି
ଖିଆଲି ମନକୁ ଧୀରେ ଥାପୁଡେଇ
ଫେରିଯାଏ ପଛକୁ ପଛକୁ
ଦିନ, ମାସ ,ବର୍ଷ ମନେନାହିଁ
ତଥାପି ଖୋଜୁଛି ସ୍ମୃତିଭିଜା ମୂହୁର୍ତ୍ତଟିକୁ
ମନ ଦରଜାର ତାଲା ଖୋଲିଯାଏ
ନିଜ ଇଚ୍ଛାରେ ,ନିଜ ସ୍ବାଦରେ
କଞ୍ଚି ତ ହଜିନି , କଳଙ୍କି ଲାଗିନି
କେବେ ଠୁ ଗୁନ୍ଥିଛି ପାଟସୂତାରେ
ହଁ ମନେପଡେ ଖୁବ୍ ମନେପଡେ
ଯେବେ, ଅମାନିଆ ମନ ମୋର
ଛନ୍ଦିହୋଇ ପଡୁଥିଲା ,ତୋମନଗହନରେ
ମୋ ଅନ୍ୟମନସ୍କତା କେବେ
ଧରାପଡିଯାଉଥିଲା ତୋ ସଜଳ ଆଖିରେ
ମୋ ରାଗ -ଅନୁରାଗ ,ମୋ ମୁଗ୍ଧ ଅନୁଭବ
ଫୁଟିଉଠୁଥିଲା,ତୋ ସାଙ୍କେତିକଭାଷାରେ
ଆଉ ଠିକ୍ ସେତିକିବେଳେ
ମୁଁ ହଜିଯାଏ ,ମୋ ସ୍ବପ୍ନର ଇଲାକାରେ
ମୁଁ ଭିଜିଯାଏ , ଋତୁର ପହିଲି ଟୋପାରେ
ମୁଁ ଶିହରିଯାଏ , ଚିନିଚମ୍ପା ମିଠା ମହକରେ
ମୁଁ ମଜ୍ଜିଯାଏ , କୋଇଲିର କୁହୁ କୁହୁକରେ
ଆଜି ବି ପ୍ରଶ୍ନଟିଏ ଉଙ୍କିମାରେ ?
ତୁ ଏମିତି କିଏ କି ?
ଦୂରେଇ ଗଲେ ତୁ !
ଆଶ୍ଳେଷିଯାଏ ମୁଁ ,ଅଭିମାନର ଛିଟାରେ
ତତେ ଚାହିଁଦେଲେ କେହି
ଜଳିଯାଏ ମୁଁ ଅସହିଷ୍ଣୁତାରେ
ତତେ ଭେଟିବାର ଦୁର୍ବାର ଆକର୍ଷଣ
ଧୀରେ ଜନ୍ମ ନେଉଥିଲା ମନରେ
ଭଲପାଇବାର ସୁଖଦ ମୂହୁର୍ତ୍ତ
ସାଉଁଟି ରଖେ ମୁଁ ରୂପା ଫରୁଆରେ
ସାରା ରଙ୍ଗ ରୂପ , ସ୍ବପ୍ନର ବୈଭବ
ସଜେଇ ଦିଏ, ନିରୀହ ଭାବପ୍ରବଣତାରେ
ପ୍ରତିଟି ବିସ୍ମୃତ ବେଳା ରୂପ ନେବାବେଳେ
ପୁଣି ତୁ ଆସିଯାଉ ବାରବାର ମନରେ
ବୋଧହୁଏ , ଏହି କି ସେ
ପ୍ରକୃତ ପ୍ରେମ ନିସର୍ତ୍ତ ସମର୍ପଣ
ସେ କି ଏକ ଆତ୍ମୀକ ସମ୍ମୋହନ ?