କାହିଁକି ଲେଖିବି
କାହିଁକି ଲେଖିବି
କାହିଁକି ଲେଖିବି?
ନୈରାଶ୍ୟତାର ଏ ଏକ
ଉଦାସୀନ ମନୋଭାବ,
ବେଳେ ବେଳେ ମନକୁ
ଆସେ ସ୍ଵତଃପୂର୍ତ୍ତ ଭାବେ
ଆବଶ୍ୟକତାକୁ ସଠିକ୍
ହୃଦୟର ସହିତ
ନ କଲେ ଅନୁଭବ।
ଐଶ୍ଵରିକ ଶକ୍ତିର
ବିକେନ୍ଦ୍ରୀକରଣ ହୋଇଛି
ସୃଷ୍ଟିରେ ପ୍ରତିଟି ସଜୀବର
ଆତ୍ମ ସତ୍ତ୍ବାରେ,
ଭିନ୍ନ ଭିନ୍ନ ପ୍ରତିଭାକୁ
ପରିପ୍ରକାଶ କରିବା ଲାଗି
ସତ୍ କର୍ମର ମାଧ୍ୟମରେ।
ପ୍ରତ୍ୟେକ ବ୍ୟକ୍ତି ବିଶେଷ
ଜଣେ ଅନ୍ୟ ଜଣଙ୍କଠାରୁ
ଭିନ୍ନ ଓ ଅନନ୍ୟ ପ୍ରତିଭାଧାରୀ,
ମୌଳିକତାର ଆଧାରରେ
ସଂସାରର ସୁପରିଚାଳନାରେ
ସୃଜନଶୀଳତା ସଦା ସର୍ବଦା
ସମାଜ ପାଇଁ ଏକାନ୍ତ ଜରୁରୀ।
ନିଜ ଅନ୍ତର୍ନିହିତ ପ୍ରତିଭାର
ବିକାଶ ପ୍ରକାଶ ଲାଗି
କବି ଲେଖକଟିଏ କଲମ ଧରେ,
ସୃଷ୍ଟି କରି ଚାଲେ ତା' ସୃଜନୀକା
ଭାବ ଭାଷାର ଶବ୍ଦ ବିନ୍ୟାସକୁ
ରସାଣିତ କରି ନବ ଶୈଳୀରେ।
ଆତ୍ମତୃପ୍ତି ପାଇ
ସନ୍ଦେଶ ଦିଏ ସମାଜକୁ
ଦେଖିବା ପାଇଁ ଏକ
ଅଭିନବ ରୂପ ରଙ୍ଗର ଦୁନିଆଁ,
କିଏ ଏ ସବୁ ଗ୍ରହଣ କରୁ
କି ନ କରୁ ଏ କଥା ଭାବି ବସିଲେ
ହୋଇ ପଡ଼ିବ ସେ ନିଷ୍କ୍ରିୟ
ମନ ହୋଇଯିବ ତାର ଅମାନିଆଁ।
ମାଆର ଧର୍ମ ସନ୍ତାନକୁ
ଜନ୍ମ ଦେଇ ତାର ଲାଳନପାଳନ
କରି ଉପଯୁକ୍ତ କରିବା,
ସେ ସନ୍ତାନ ଯେ ଭବିଷ୍ୟତରେ
କଣ କରିବ ଭାବିଲେ
ଅଭାବ ହେବ ମାତୃତ୍ବର
ପରିପୂର୍ଣ୍ଣତା ପାଇବା।
ଲେଖିବାର ଅଦମ୍ୟ ପ୍ରୟାସ
କେବେ ଦୁର୍ବଳ ମାନସିକତାରେ
ଭାଙ୍ଗି ପଡ଼ି ସୃଷ୍ଟି ନ କରୁ
ତିଳେ ବି ଅନ୍ତରାୟ,
ମନକୁ ନ ଆସୁ କେବେ କାହାର
କାହିଁକି ଲେଖିବି?
ଏକାଗ୍ରତାର ସାରସ୍ବତ ସାଧନାରେ
ସେ ଚାଲିଥାଉ ଆଗକୁ ଆଗକୁ
ନିଜେ ନିଜକୁ କରି ସ୍ବଧ୍ୟାୟ।