କାହାରିକୁ କ୍ଳେଶ ନଦିଅ କେବେ
କାହାରିକୁ କ୍ଳେଶ ନଦିଅ କେବେ
ବୈଶାଖରୁ ଝାଞ୍ଜି ବରଷଇ ନିଆଁ
ଉତ୍କଟ ହୁଅଇ ଜଳର କଷ୍ଟ
ଜଳଟୋପେ ଲାଗି ତୃଷାତୁର ଜୀବ
ବିକଳେ ହୁଅନ୍ତି ଛଟରପଟ ।
ଟାଉଁ ଟାଉଁ ହୁଏ ମୁଣ୍ଡଫଟା ଖରା
ଗମ ଗମ ବହେ ଦେହରୁ ଝାଳ
ବାଟୋଇ ବିଚରା ଖୋଜେ ଗଛ ଛାଇ
କୂପ ସୁଗଭୀର ଶୀତଳ ଜଳ ।
ଗମନାଗମନ ରାସ୍ତାର କଡରେ
ଖୋଲି ଜଳଛତ୍ର ବଦାନ୍ଯ ଲୋକେ
ନିବାରନ୍ତି ତୃଷା ଗ୍ରୀଷମ ଦିନରେ
ପଥିକଙ୍କ ଶାନ୍ତି ସନ୍ତୋଷ ଅର୍ଥେ ।
ଆମ ସଂସ୍କୃତିରେ ମହାବିଷୁବରେ
ବସେ ଜଳଘଟ ସଂକ୍ରାନ୍ତି ଠେକି
ଢାଳି ଜଳ ପଣା ଅରଜନ୍ତି ପୁଣ୍ଯ
ମେଣ୍ଟାନ୍ତି ଶୋଷକୁ ପଶୁ ଓ ପକ୍ଷୀ ।
ଆତ୍ମା ସ୍ବରୂପରେ ଅଛନ୍ତି ଈଶ୍ୱର
ସର୍ବ ବିଦ୍ଯମାନ ସଭିଙ୍କ ଦେହେ
ଆପଣାର ପର ନଭାବି କାହାକୁ
କାହାରିକୁ କ୍ଳେଶ ନଦିଅ କେବେ ।
