କାହାର ସତରେ ଏହି ପୃଥିବୀଟି
କାହାର ସତରେ ଏହି ପୃଥିବୀଟି
ପକ୍ଷୀଟିଏ ଉଡ଼େ ଫଳଟିଏ ଭକ୍ଷୀ,ରୋପଣ କରେ କିନ୍ତୁ ଦ୍ରୁମଟିଏ,ଫଳ ଭରା ବୃକ୍ଷ ନିମିଷରେ ନାଶେ,ନିଜ ସୁଖ ଲାଗି ନର ଜାତିଟି ! ଯେମିତି ନିଜର ଆଡମ୍ବର ଲାଗି,ନଷ୍ଟ କରେ ବନ ଏ ମଣିଷଟି I କାହାର ସତରେ ଏହି ପୃଥିବୀଟି?
ବନ୍ୟ ପ୍ରାଣୀ ଯେତେ ବନର ଆଶ୍ରୟୀ,ବଞ୍ଚିବା ଲାଗି ଖୋଜନ୍ତି ଦ୍ରୁମଟି,କେହି କିନ୍ତୁ କେବେ, ବିନା କାରଣରେ,ନଷ୍ଟ କରିନାହିଁ କାହିଁ ବୃକ୍ଷଟି,ଯେମିତି ନିଜର ବାସ ଗୃହ ଲାଗି,ଧ୍ଵଂସ କରେ ବନ ଏ ମଣିଷଟି I କାହାର ସତରେ ଏହି ପୃଥିବୀଟି?
ଶାସ୍ତ୍ରରେ ବିଦ୍ଵାନ ହୋଇ ମଧ୍ୟ ଯିଏ,ଅଦେଖା କରେ ନିଜ ଦାୟିତ୍ଵଟି,ବୃକ୍ଷଟିଏ କେବେ ନ କରି ରୋପଣ,ସୃଷ୍ଟିରେ କିପରି ଶ୍ରେଷ୍ଠ ଏ ମାନବଟି,କେମିତି ଅଜ୍ଞାନୀ ସାଜି ଯାଇ ପୁଣି,କ୍ଷୟ କରେ ବନ ଏ ମଣିଷଟି I କାହାର ସତରେ ଏହି ପୃଥିବୀଟି? ଭବିଷ୍ୟତ ଯଦି ଗଢ଼ିବାକୁ ହେବ,ସମୃଦ୍ଧ କରି ନିଜ ଜୀବନଟି, ହେବ କରିବାକୁ ବୃକ୍ଷରେ ଆବୃତ୍ତ,ବୃକ୍ଷହୀନ ବନ, ବଂଜର ମାଟି I ବୃକ୍ଷର ରୋପଣ ସୁଖର ଅର୍ଜନ,ବୁଝିବ କେବେ ମୂର୍ଖ ମଣିଷଟି I କାହାର ସତରେ ଏହି ପୃଥିବୀଟି?
