କାଗଜ ଡଙ୍ଗା
କାଗଜ ଡଙ୍ଗା
ଅମାନିଆଁ ମେଘ ବରଷିଲା ଆସି
ଆମ ଗାଁ ପାହାଡ ଛୂଇଁ
ମୋ ପ୍ରିୟାର ମନ ଉଛନ୍ନ ହୋଇଲା
ବର୍ଷାରେ ଭିଜିବା ପାଇଁ |
ମୋ ବୟସ ପାଞ୍ଚ ତାକୁ ଚାରିବର୍ଷ
ନାକରୁ ବହେ ସିଙ୍ଘାଣି
ବରଷାରେ ଭିଜି ଥଣ୍ଡା ଧରେ ବୋଲି
ପାରେନାହିଁ ସିଏ ଜାଣି |
ବରଷା ଝରିଲେ ଟୁପୁରୁ ଟୁପୁରୁ
ଧାଏଁ ସେ ଚପଳମତି
ବରଷା ଜଳକୁ ଆଞ୍ଜୁଳାରେ ଧରି
ଛାଟୁଥାଏ ମୋର କତି |
ମନ ହରଷରେ ମୁଖରୁ ତାହାର
ହସରେ ମୁକୁତା ଝରେ
ବାଲ୍ୟ ଚପଳତା ସୀମା ଟପିଯାଏ
ଝିପି ଝିପି ବରଷାରେ |
ଓଳି ତଳ ପାଣି ଦାଣ୍ଡକୁ ବହଇ
କରିଦିଏ ଜଳମଗ୍ନ
ସତେକି ଛୋଟିଆ ନଈ ବହିଯାଏ
ମନ ତାର ଛନ ଛନ |
ଝିପି ଝିପି ସେହି ବରଷା ଟୋପାରେ
ସିକ୍ତ ହୁଏ ଦେହ ମନ
କାଗଜ ଡଙ୍ଗାଟେ ନେଇ ମୁଁ ଭସାଏ
ଗାଁ ଦାଣ୍ଡରେ ସେହିଦିନ |
ଯାଏ ଭାସି ଭାସି ସ୍ମିତହସି ହସି
ଗାଁ ଦାଣ୍ଡର ଜଳ ସ୍ରୋତେ
ଯେଉଁଠି ଅଟକେ ଉପାୟ ନପାଇ
ବିକଳରେ ଡାକେ ମୋତେ |
ହାତରେ ଧରି ତା ପିଠିକୁ ଆଉଁସି
ଯେବେ ମୁଁ ଦିଏ ଭସାଇ
ମୋ ଫୁଲେଇ ପ୍ରିୟା ତା ଭାସିବା ଦେଖି
ହସେ ଖିଲି ଖିଲି ହୋଇ |
ସେଇ ଖିଲି ଖିଲି ହସର ଭିତରେ
ଥିରି ଥିରି କହିଦିଏ
ଅଜା କହୁଥିଲେ ସାଧବ ବୋଇତ
ସାତ ସିନ୍ଧୂ ଲଙ୍ଘି ଯାଏ |
ବୀର ଓଡିଆର ଗଉରବ ଗାଥା
ମୋ କାଗଜ ଡଙ୍ଗା କହେ
ଜାଭା ବାଲି ଦ୍ବିପ ବୋର୍ଣ୍ଣିଓ ସୁମାତ୍ରା
ବୋଇତ ବୁହାଇ ନିଏ |
ଉତ୍ତର ପୁରୁବ ମୌସୁମୀ ପ୍ରବାହ
କାର୍ତ୍ତିକରୁ କ୍ରମେ ବହେ
ଶିତୁଆ ପବନେ ସାଧବ ବୋଇତ
ଧିରେ ଧିରେ ଭାସିଯାଏ |
ଜାଭା ବୋର୍ଣ୍ଣିଓକୁ ନେଇ ପହଞ୍ଚାଏ
ସେଦିନର ସେ ବୋଇତ
ଓଡିଶାର ଯେତେ ପଣ୍ୟ ଦ୍ରବ୍ୟାଦିର
ସେଠି ଆଦର ବହୁତ |
ଓଡିଶାର ଚିଜ ବିକିଣ ସେଠାରେ
ରୋଜଗାର କରିଧନ
ଆଷାଢରେ ସେହି ବୋଇତରେ ଫରେ
କରି ହରଷିତ ମନ |
ଭାସିଯା ମୋହର କାଗଜ ଡଙ୍ଗା ତୁ
ଥିରିଥିରି ବହେ ବାଆ
ପ୍ରାଚୀନ ଓଡିଆ ସାଧବ ପୁଅର
ଗାଥାକୁ ବଖାଣୁ ଥାଆ ।