କାଗଜ ଡଙ୍ଗା
କାଗଜ ଡଙ୍ଗା


ତୋର ମନେ ଅଛି ?
ଦଣ୍ଡା ମଝି ରାସ୍ତାର ପାଣି ସୁଅ
ସ୍କୁଲ ଛୁଟ
ଘର ଫେରନ୍ତା ମନ
ଆଉ ତୁ ଓ ମୁଁ ।
ମନେ ଅଛି
ପାଣି ଚଵ ଚଵ
ଛିଟିକାରେ
ଅଣ୍ଟା ଯାଏ ପୁରା ଓଦା
ମନେ ପଡୁଛି
ମୋ ମୁଣ୍ଡ ଓଦା ନ ହେବା ପାଇଁ
ତୋ ବ୍ୟସ୍ତତା
ନିଜେ ଗୋଟା ପଣେ ଓଦା
ମୋତେ କିନ୍ତୁ ସୁରକ୍ଷା ଦେଉଥିଲୁ
ବର୍ଷା ହିଂସା କବଳରୁ
କେବଳ ତୁ ମୋତେ ଓଦା କରିବୁ
ଆଉ ଏ ବର୍ଷା ବହପ ଦେଖ
ତୁ ଥାଉ ଥାଉ ମୋତେ ଭିଜେଇ ଜାବୁଡି ଧରୁଛି!
ମନେ ପଡୁଛି
ସେଦିନ ଆମ ଭରଣ୍ଡାରୁ
ଗାଁ ଦାଣ୍ଡେ ଦୋହଲି ଦୋହଲି
ଯାଉଥିବା ଦିଟା ଡଙ୍ଗା
ଗୋଟେ ତୋର
ଗୋଟେ
ମୋର
ଶିବା ଛାଣି ନେଲା ଖୁସିରେ ସେ ଦିଟା
ତୁ ତା ନାକ ଫଟେଇ ଦେଇ
କହିଲୁ
ସେମାନେ ଯାଉଥିଲେ
ସମୁଦ୍ରରେ ପଡିବେ ବୋଲି
ତୁ କାହିଁକି ବାଧା ଦେଲୁ।
ଗୋଟେ ମହାଭାରତ ହେଲା
ଶିବା ବାପା ମା
ତୁମ ଘରେ ଆସି ଧମକେଇଲେ
ତୋ କାନ୍ଦ ମେଘରେ ଗାଧୋଉଥିଲେ
ତୁ ଖାଲି କହୁଥିଲୁ
ମୋ କାଗଜ ଡଙ୍ଗା
ମୋ କାଗଜ ଡଙ୍ଗା
ସେ କାଇଁ ଚିରି ଦେଲା।
ସେ ଡ଼ଙ୍ଗାରେ
ଗୋଟେ ତୋର
ଗୋଟେ ମୋର
ଗୋଟିଏରେ ଲେଖା ଥିଲା ତୋ ନାଁ
ଅନ୍ୟଟିରେ ମୋ ନାଁ
ଖାସ୍ ସେଇ କାଗଜ ଡଙ୍ଗା ପାଇଁ
ଶିବା ଓ ତୁ ଘନିଷ୍ଠ ବନ୍ଧୁରୁ
ହୋଇଗଲ ଆଜନ୍ମ ଶତ୍ରୁ
ମୁଁ ଏବେ ବି ଭାବେ
କେବଳ ମୋ ନାଁ
ଦେଖା ହୋଇଥିଲା ବୋଲି
ତୁ ଏତେବଡ଼ ପୃଥିବୀର
ନିଃସଙ୍ଗ ତାରା ହୋଇଗଲୁ??