କାବ୍ୟ ନାୟିକା
କାବ୍ୟ ନାୟିକା
ଧୀର ମନ୍ଦ୍ର ସ୍ୱନ ବୀଣାଜିଣା କଣ୍ଠ
ପ୍ରାୟ ଏକ ରଶ୍ମିରେଖା
ଲାସ୍ୟହାସ୍ୟ ଛନ୍ଦେ ଆକର୍ଷେ ପୁଲକେ
ପ୍ରିୟା ମୋ କାବ୍ୟ ନାୟିକା ।
ଶୁଭ୍ରା ସୁରଭିତା ବେଶ ପରିପାଟୀ
ନୟନେ ଆପଣାପଣ
ସୁନ୍ଦର ସମ୍ପର୍କେ ନିମିଷକେ ସିଏ
କିଣିନେଇ ଥାଏ ମନ ।
ଲାଗେ ଭାରି ମିଠା ମଧୁର ତା କଥା
ଭାବେ ଭକ୍ତି ସମର୍ପଣ
କହିବା ଆଗରୁ ମୋ କାବ୍ୟ ନାୟିକା
ବୁଝିପାରେ ମୋର ମନ ।
ଶିଖିବାକୁ କହେ ମର୍ମ ସାରକଥା
ବୁଝାଏ ସେ ଅନର୍ଗଳ
ଫିକା ଫିକା ଲାଗେ ସୀମିତ ମୋ ଜ୍ଞାନ
ଚାହିଁ ରହେ ବଲବଲ ।
ମୋ କାବ୍ୟ ନାୟିକା ହସିଲେ ଫୁଟଇ
ଚହଟଇ ଫୁଲ ମଲ୍ଲି
ମଧୁର ବଚନେ ସେନେହ ମମତା
ଅମୃତ ପଡ଼ଇ ଝରି ।
କାବ୍ୟ ନାୟିକା ମୋ ରୂପେଲି ଜୋଛନା
ତା ପରଶ ସୁଶୀତଳ
ଉଛୁଳାଏ ମନ ଆନନ୍ଦ ଉଲ୍ଲାସେ
ପରାଣ ହୁଏ ବିଭୋର ।
ସ୍ୱପ୍ନ ମଧୁମୟ ଆଶା ଚାରୁଲତା
ସୁକୁମାରୀ ପ୍ରେମମୟୀ
ସ୍ନିଗ୍ଧ ସୁକୋମଳ ମୋ କାବ୍ୟ ନାୟିକା
ଭାବେ ହୃଦେ ବିରାଜଇ ।

