କାବ୍ୟ କନ୍ୟିକା
କାବ୍ୟ କନ୍ୟିକା
କିଛି ଭାବୁଛି ମୁଁ କିଛି ଲେଖୁଛି ବି
କିଛି ଗାଉଛି ମୁଁ ଯଦି କେତେବେଳେ
ଲେଖି ହୋଇ ଲାଖି ରହିଯାଅ ତୁମେ
ଚାରୁ ଚିତ୍ରଲେଖା ଶବ୍ଦ ତୁଳିକାରେ।।
ତୁମେ ପାଖୁଡ଼େ ଫୁଲର ମହକକୁ
ବିଞ୍ଚିଦେଲ ମ୍ଳାନ ବନ ବିଥିକାରେ
ଘାସ ପତରେ ଅତର ବୋଳିଦେଲ
ମହକେଇ ପ୍ରୀତି ତାତି ମହକରେ।।
ତୁମେ ଢଳି ପଡ଼ୁଥିଲ ଜାଣିଜାଣି
ଜାଣି ଇର୍ଷା ମିଶା ହେଲା ଇନ୍ଦ୍ରଧନୁ
ଦୋଳି ଦେହ-ଦିଗବଳୟ ବିଛେଇଛି
ତୋଳି ଧରିବାକୁ ଘେରି ବାହୁଘେରେ।।
ପେନ୍ଥେ କୃଷ୍ଣଚୂଡ଼ା ଜୁଡ଼ାରେ ଜଡ଼େଇ
ମନ୍ଦ ଶବ୍ଦ-ଗୁଞ୍ଜରଣ ଖଞ୍ଜିଦେଲି
ଗୁଞ୍ଜରିତ ହେଉ ଛନ୍ଦ ତାଳ ଲୟେ
କାବ୍ୟ କନ୍ୟିକା ନାୟିକା କବରୀରେ।।
କବରୀ ଶର୍ବରୀ କପାଳ ପଟଳେ
ଟିପେ ଜହ୍ନକୁ ଜୋଖିବି ଯତନେ ମୁଁ
ଜ୍ୟୋତି ଜାଜୋଲ୍ୟ ଝଲକ ଝଲସିବ
ପ୍ରୀତି ପୁଲକ ପ୍ଲାବନ ଧାରେ ଧାରେ।।
ଆସ ଶବ୍ଦ ଗୋ! ନିଃଶବ୍ଦ କରିଯାଅ
ସ୍ତବ୍ଧ କରିଯାଅ ଲବ୍ଧ-ଚେତ ଚିତ୍ତେ
କାବ୍ୟ ସାଧକର ଶ୍ରାବ୍ୟ ଶବ୍ଦଚିତ୍ର
ଦ୍ରବିଭୁତ ହେଉ ଭବ୍ୟ ସୁଧା ଧାରେ।।
