ଜ୍ଞାନର କବାଟ ବନ୍ଦ ହେଲେ ଖୋଲିବକି
ଜ୍ଞାନର କବାଟ ବନ୍ଦ ହେଲେ ଖୋଲିବକି
ଜିଇଁଛି ମୁଁ !
ଅହଂକାରରେ
ଛନ୍ଦିଛି ଲୋକଙ୍କୁ ଶଦ୍ଦର ଜାଲରେ
ଯେତେ ବୁଝାଇଲେ ବି ଅନ୍ଧ ହୋଇଛି ସ୍ୱାର୍ଥରେ ।
ଭାବିଛି ମୁଁ !
ତୃଣତୁଲ୍ୟ ଗରିବଙ୍କୁ
ମାଟିରେ ଖଟୁଥିବା ମଣିଷଙ୍କୁ
ରକତ ପାଣି ଫଟାଇ ଅକ୍ଲାନ୍ତ ଶ୍ରମ ଖଟିବା
ଲୋକଙ୍କୁ ।
ବଢିଛି ମୁଁ !
ଦିନେ କେବେ ଶ୍ରମ ନକରି
ରାଜନୀତି ଓ କୂଟନୀତିକୁ ଆୟୁଧ କରି
ହୃଦୟେ କେବେ ସ୍ନେହ ଶ୍ରଦ୍ଧା ପ୍ରୀତି ଭାବନା
ଭର୍ତ୍ତି ନକରି ।
ସ୍ୱାର୍ଥପର ମୁଁ !
କର୍ତ୍ତବ୍ୟବୋଧ ଜାଣି ନାହିଁ
ଅବାଂଛିତ ଆଶା ଅବାସ୍ତବ ଚିନ୍ତାରେ ରହି
ଯାତନା ନିର୍ଯ୍ୟାତନା ଦେଇ ଶ୍ରମର ମୂଲ୍ୟ ଦେଉ ନାହିଁ ।
ମୁଁ ! ଭୁଲିଛି
ବୁଦ୍ଧି ଜ୍ଞାନ ବିବେକର ପରିଭାଷା
ମନରେ ସର୍ବଦା ଓଁ ଶୁଭ ଲାଭର ଅଙ୍କକଷା
ଗରିବ ମାଇପ ସମସ୍ତଙ୍କ ଶାଳୀ, ଏ ଭାବନା ମନରେ
କରିଛି ବସା ।
ନିରିକ୍ଷଣ କରୁଛି
ଏଠି ନିଜର ସମସ୍ତ କାର୍ଯ୍ୟକୁ
କଣ ହେବ, ମୁଁ ! ତ ସ୍ୱାର୍ଥାନ୍ଧ ମତାନ୍ଧ ବନି ଯାଇଛି
ଛନ୍ଦି ତ ହେଇଯାଇଛି ଓ ଜ୍ଞାନର କବାଟ ଥରେ
ବନ୍ଦ ହେଲେ ଖୋଲିବକି?
