ଜଣେ ଦୟାହୀନ ସୁନ୍ଦରୀ
ଜଣେ ଦୟାହୀନ ସୁନ୍ଦରୀ
ହେ! ସଶସ୍ତ୍ର ଯୋଦ୍ଧା, ତୁମ କଷ୍ଟ ଅବା କଣ
ଏକାକୀ ମଳିନେ କାହିଁ ବୁଲୁଅଛ ଧିରେ?
ହ୍ରଦ ପାଖ ଘାସମାନ ଶୁଷ୍କ ପଡିଅଛି
ପକ୍ଷୀ ବି ତ ଗାଉ ନାହିଁ ସୁଲଳିତ ସ୍ଵରେ ।
ହେ! ସଶସ୍ତ୍ର ଯୋଦ୍ଧା, ତୁମ କଷ୍ଟ ଅବା କଣ
କାହିଁ ଦିଶୁଅଛ ତୁମେ ଅସ୍ତବ୍ୟସ୍ତ ଦୁଃଖୀ?
ଗୁଣ୍ଡୁଚିର ଭଣ୍ଡାର ତ ପୂର୍ଣ୍ଣ ହୋଇଅଛି
ସରିଛି ଫସଲ କଟା ସଭିଏଁ ବି ସୁଖୀ ।
ଦେଖୁଛି ମୁଁ ତୁମ ଲଲାଟରେ କୁମୁଦିନୀ
ଯନ୍ତ୍ରଣା ଜ୍ଵରରେ ପଡି ଭିଜିଛି ଝାଳରେ;
ଆଉ ତୁମ ଦୁଇ ଗାଲେ ଫିକା ଗୋଲାପ ବି
ମଉଳି ଯାଉଛି ଅବିଳମ୍ବେ ବେଦନାରେ ।
ଭେଟିଥିଲି ନାରୀଟିଏ ତୃଣଭୂମିପରେ
ପରୀ କନ୍ୟାଟିଏ ପରି ଅମାପ ସୁନ୍ଦରୀ;
ସୁଦୀର୍ଘ କୁନ୍ତଳ ତାର କୋମଳ ପୟର
ନୟନ ଯୁଗଳ ଟାଣେ ମନକୁ ସବୁରି ।
ଗଭା ପାଇଁ ତିଆରିଲି ଫୁଲର ଗଜରା
ପୁଣି କଙ୍କଣ ଓ ସୁଗନ୍ଧିତ ଅଣ୍ଟା ସୂତା;
ପ୍ରେମଭରା ନୟନରେ ଦେଖିଲା ସେ ମୋତେ
କହିଗଲା ଓଠ ଖୋଲି ମିଠା ମିଠା କଥା ।
ବସାଇଲି ତାକୁ ମୋର ଧିର ଅଶ୍ଵ ପୃଷ୍ଠେ
ଦିନସାରା ତା ବିନା ମୁଁ ଦେଖିନି କାହାରେ;
ଏକ ପାର୍ଶ୍ଵେ ନଇଁ ଯାଇ ସେ ସୁନ୍ଦରୀ ଆହା
ଗାଉ ଥିଲା ପରୀ ଗୀତ ସୁମଧୁର ସ୍ଵରେ ।
ମୋ ପାଇଁ ଆଣିଲା ଖୋଜି ମିଠା କନ୍ଦମୂଳ
ଆଉ ପୁଣି ବନ୍ୟମଧୁ, ଦେବତା ପାନୀୟ ;
ଅଜବ ଭାଷାରେ ଏକ କହିଲା ସେ ମୋତେ
"ମୁଁ ତୁମକୁ ଭାରି ଭଲ ପାଏ ପ୍ରାଣପ୍ରିୟ"।
ନେଇ ଗଲା ଧରି ମୋତେ ତା' ପରୀ ଗୁମ୍ଫାକୁ
କାନ୍ଦିଲା ସେଠାରେ ପୁଣି କଇଁ କଇଁ ହୋଇ;
ବୁଜିଦେଲି ମୁଁ ତାହାରି ଭାବୁକ ଆଖିକୁ
ଚାରିଗୋଟି ପ୍ରୀତିଭରା ଚୁମ୍ବନ ଯେ ଦେଇ ।
ଶୁଆଇ ଦେଲା ସେ ମୋତେ ଗାଇ ନିଦ ଗୀତ
ଦେଖିଲି ମୁଁ ସ୍ୱପ୍ନଟିଏ ଭାରି ଦୁଃଖଦାୟୀ;
ସେଇ ସ୍ଵପ୍ନ ଥିଲା ମୋର ଅନ୍ତିମ ସପନ
ଶୀତଳ ପାହଡ ପାର୍ଶ୍ଵେ ଦେଖିଥିଲି ମୁହିଁ।
ମୁଁ ଦେଖିଲି କେତେ ରାଜା, ରାଜାଙ୍କ କୁମାର
ମଳିନ ଚେହେରା ପୁଣି ଯୋଦ୍ଧାଙ୍କର କେତେ ;
ସଭିଏଁ ଚିତ୍କାର କରି କହୁଥିଲେ ମୋତେ
ଦୟା ହୀନ ସୁନ୍ଦରୀଟି ଫସେଇଲା ତୋତେ ।
ସେମାନଙ୍କ ଶୁଷ୍କ ଓଠ ହାଲୁକା କିରଣେ
ଭୟାନକ ଚେତାବନୀ ଦେଉଥିଲେ ମୋତେ,
ନିଦ ମୋର ଭାଙ୍ଗିଗଲା ପାଇଲି ନିଜକୁ
ଏ ଶୀତଳ ପାହଡର ପାଦ ଦେଶେ ସତେ ।
ତେଣୁ ଅଟକିଛି ମୁହିଁ ଏହି ଇଲାକାରେ
ମଳିନ ଚେହେରା ନେଇ ବୁଲୁଅଛି ଏକା;
ଯଦିଓ ଶୁଖିଛି ହ୍ରଦ ପାଖ ଘାସ ମାନ
ଶୁଭୁନାହିଁ ପକ୍ଷୀ ଗୀତ, ନାହିଁ ତାଙ୍କ ଦେଖା ।
ମୂଳ ଲେଖା - La belle dame sans merci
By John Keats